
ଭୁବନେଶ୍ୱର, ୧୯ ଅଗଷ୍ଟ (ହି.ସ.) - ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବୁଧବାର ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ନଗର ଉନ୍ନୟନ ଓ ସହରାଂଚଳରେ ଗମନାଗମନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ସହରାଂଚଳରେ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବରାଦ ଅର୍ଥର ସମୟୋଚିତ ବିନିଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଡିଏମ୍ଏ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ସ୍ୱତନ୍ତ୍ର ସଚିବ , ଅତିରିକ୍ତ ସଚିବ , କ୍ରୁଟ୍ ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
ମନ୍ତ୍ରୀ ଡ. ମହାପାତ୍ର ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରିବା ସହ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ବିଭିନ୍ନ ବାଧାବିଘ୍ନ ଦୂର କରିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବରାଦ ଅର୍ଥର ବିନିଯୋଗ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମନ୍ୱିତ ପଦକ୍ଷେପ, ନିୟମିତ ତଦାରଖ ଓ ଫଳାଫଳଭିତିକ କାର୍ଯ୍ୟାନ୍ୱୟନ ମାଧ୍ୟମରେ ନଗର ଉନ୍ନୟନମୂଳକ ପଦକ୍ଷେପଗୁଡ଼ିକର ସୁଫଳ ଯେପରି ନାଗରିକମାନଙ୍କ ନିକଟରେ ଶୀଘ୍ର ପହଂଚିପାରିବ, ସେଥିପାଇଁ ସେ ଗୁରୁତ୍ୱାରୋପ କରିଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ବିଭିନ୍ନ ଆୟ ବର୍ଗର ଲୋକଙ୍କ ପାଇଁ ସରକାର ସୁଲଭ ଆବାସ ସୁବିଧା ବିସ୍ତାର ଉପରେ ଗୁରୁତ୍ୱ ଦେଉଛନ୍ତି । ଆର୍ôଥକ ଦୁର୍ବଳ ବର୍ଗ , ନିମ୍ନ ଆୟ ବର୍ଗ ଏବଂ ମଧ୍ୟମ ଆୟ ବର୍ଗ ପାଇଁ ନୂତନ ଆବାସ ମଡେଲ ବିକଶିତ କରିବା ସହ ସହରାଞ୍ଚଳବାସୀଙ୍କ ପରିବର୍ତିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଡ଼ା ଆବାସ ବ୍ୟବସ୍ଥାର ସମ୍ଭାବନା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ମହାରାଷ୍ଟ୍ରର ସମ୍ପ୍ରତିକ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ପ୍ରିକାଷ୍ଟ ନିର୍ମାଣ ପ୍ରଯୁକ୍ତି ଏବଂ “ମିଶନ୍ ୧୦୦” ଭଳି ପଦକ୍ଷେପ, ଯେଉଁଥିରେ ୧୦୦ ଦିନରେ ୧୦୦ଟି ଘର ନିର୍ମାଣ କରାଯାଉଛି, ତାହା ଅଧ୍ୟୟନ କରାଯାଇଛି। ଓଡ଼ିଶାରେ ଏଭଳି ପ୍ରଯୁକ୍ତି ଉପଯୋଗ କରାଯିବାର ସମ୍ଭାବନା ଅନୁଧ୍ୟାନ କରିବା ପାଇଁ ଏକ ବୈଷୟିକ ଦଳ ପଠାଯିବ। ନିର୍ଦ୍ଧାରିତ ବୈଷୟିକ ଓ ନିର୍ମାଣ ମାନଦଣ୍ଡ ବଜାୟ ରଖି ଗୁଣାତ୍ମକ ଓ ସୁଲଭ ଆବାସ ନିର୍ମାଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ମନ୍ତ୍ରୀ ଆହୁରି କହିଥିଲେ ଯେ ବୃହତର ସହରାଂଚଳକୁ ଯୋଜନାବଦ୍ଧ ଓ ବ୍ୟବସ୍ଥିତ ଭାବେ ଅନ୍ତର୍ଭୁକ୍ତ କରି ଟାଉନ୍ ପ୍ଲାନିଂ ସ୍କିମ୍ ର ପରିସର ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସୁଦୃଢ଼ ସହରାଂଚଳ ବିକାଶ ଯୋଜନା ବ୍ୟବସ୍ଥା ଏବଂ ବିସ୍ତାରିତ ସହରଗୁଡ଼ିକର ଶୃଙ୍ଖଳିତ ବିକାଶ ସୁନିଶ୍ଚିତ କରିବା ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକତା ହେବ ।
ସହରାଂଚଳ ଗମନାଗମନ ସମ୍ପର୍କରେ ମନ୍ତ୍ରୀ ଡଃ ମହାପାତ୍ର ରାଜ୍ୟର ବିଭିନ୍ନ ସହରରେ “ଓଡ଼ିଶା ଯାତ୍ରୀ” ଆପ' ବ୍ୟାପକ କରାଯିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ ଅଧିକ ସୁବିଧାଜନକ ଓ ନିର୍ଭରଯୋଗ୍ୟ ଗମନାଗମନ ସୁବିଧା ଯୋଗାଇବା ସହ ପ୍ଲାଟଫର୍ମ ସହ ଜଡ଼ିତ ଚାଳକମାନଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ଓ ପ୍ରତ୍ୟକ୍ଷ ଲାଭ ସୁନିଶ୍ଚିତ କରାଯିବ ।
ବୈଠକରେ ମୌସୁମୀ ବର୍ଷା ଯୋଗୁଁ ସହରାଂଚଳ ରାସ୍ତାଘାଟ ଓ ଡ୍ରେନେଜ୍ ଭିତିଭୂମିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କିତ ବିଷୟଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା । ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ସମୟୋଚିତ ଭାବେ ସମାପ୍ତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭାରୀ ବର୍ଷା ସମୟରେ ଜଳବନ୍ଦୀ ସମସ୍ୟା ହ୍ରାସ କରିବା ଏବଂ ସହରାଞ୍ଚଳର ସହନଶୀଳତା ବୃଦ୍ଧି ପାଇଁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ଷ୍ଟର୍ମ ୱାଟର ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନକୁ ମଧ୍ୟ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।
ମନ୍ତ୍ରୀ ଜିଲ୍ଲାସ୍ତରର ବିକାଶ ପ୍ରାଧିକରଣଗୁଡ଼ିକର ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ପ୍ରଭାବଶାଳୀ ଟାଉନ୍ ପ୍ଲାନିଂ, ଯୋଜନାବଦ୍ଧ ସହର ବିସ୍ତାର ଏବଂ ସମନ୍ୱିତ ନଗର ଉନ୍ନୟନ ପାଇଁ ଏହି ସଂସ୍ଥାଗୁଡ଼ିକୁ ଆବଶ୍ୟକ କ୍ଷମତା ଓ ସାମର୍ଥ୍ୟ ପ୍ରଦାନ କରି ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ମନ୍ତ୍ରୀ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଘନିଷ୍ଠ ସମନ୍ୱୟ ବଜାୟ ରଖିବା, କ୍ଷେତ୍ର ସ୍ତରୀୟ ତଦାରଖକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଦୋହରାଇଥିଲେ ଯେ ସରକାରଙ୍କ ସହରାଂଚଳ ବିକାଶ ପ୍ରୟାସଗୁଡ଼ିକ ସହରାଂଚଳ ଜୀବନର ଗୁଣବତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସହିତ ସୁଚିନ୍ତିତ, ନମନୀୟ ଏବଂ ନାଗରିକ କୈନ୍ଦ୍ରିକ ସହର ସୃଷ୍ଟି ଉପରେ ଧ୍ୟାନ ଦେବା ଆବଶ୍ୟକ ।
.........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା