

ଜୟପୁର, ୨୦ ଅଗଷ୍ଟ (ହି.ସ.)- ଜୟପୁର ସହରରେ ଚୋରି ଦାଦାବଟି ଭଳି ୧ ମାସ ମଧ୍ୟରେ ୬ଟି ମାମଲା ରୁଜୁ ହୋଇଥିଲା । ୬ଟି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏନେଇ ଆଜି ଜୟପୁର ଟାଉନ ଥାନାରେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଜୟନଗର ଚିଲିଗୁଡାର ଆକାଶ ହରିଜନ (୨୦), ବାପୁଜି ନଗରର ଭଗବାନ ଖରା (୩୭), ବାପୁଜି ନଗର ଦେବ ନାୟକ (୫୨), ଗଣେଷ ବେଶ୍ରା (୨୦), ଚନ୍ଦନ ବଡେଇ (୨୯), ଓଡିଆ ମେଦ୍ରି ସାହିର ଅଜୟ ନାୟକ (୨୯) କୁନ୍ଦାରିଗୁଡାର ପ୍ରବିଣ ନାୟକ (୨୦) । ସିସିଟିଭି ଫୁଟେଜ, ମାନବୀୟ ସୂଚନା, ରାତ୍ରି ପେଟ୍ରୋଲିଂ ଆଧାରରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୨ ସୁନା ଚେନ, ୬ ହଳ ସୁନା କାନଫୁଲ, ଝିକା, ୩ ହଳ ରୁପା ପାଉଞ୍ଜି, ୨ଟି ରୁପା ବକ୍ସ, ୫ଟି ରୁପା କୟନ, ସୁନା ଚୁଡି, ସ୍ମାର୍ଟ ଏଲଇଡି ଟିଭି, କମ୍ପୁଟର, ପମ୍ପ, ପେନେଲ ଟିଭି, ସିଲେଇ ମେଶିନ , ୨ଟି ଛୁରି, ସହ ୬୪୦ ଟଙ୍କା ଜବତ କରିଛି । ମାମଲାର ବିବରଣିରୁ ପ୍ରକାଶ ଯେ, ୨୦.୭.୨୬ ତାରିଖରେ ଜୟପୁର ସୁନାରି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚୋରି ଅଭିଯୋଗରେ ୨୮୫/୨୬, ଆଦର୍ଶ ନଗରେ ଗତ ୨୮ ତାରିଖରେ କମ୍ପୁଟର ଚୋରି ନେଇ ୨୯୪/୨୬ ମାମଲା ହୋଇଥିଲା। ସେହିପରି ହାନାଗୁଡାରେ ଗତ ୩୧ ତାରିଖରେ ଘର ଭିତରେ ପଶି ୩୦୧/୨୬ରେ ମାମଲା ରୁଜୁ ହୋଇଥିଲା । ସେହିପରି ଲେବର କୋର୍ଟରେ ଏସି ଆଉଡଡୋର ୟୁନିଟ ଗତ ୪ ତାରିଖରେ ଚୋରି ହୋଇଥିବା ନେଇ ୩୦୪/୨୬ ମାମଲା ରୁଜୁ ହୋଇଥିଲା । ଧୋବାସାହିରୁ ସିଲେଇ ମେସିନ ଗତ ୧୪ ତାରିଖରେ ଚୋରି ହୋଇଥିବା ନେଇ ୩୧୪/୨୬ଅଭିଯୋଗ ହୋଇଥିଲା । ସେହିପରି ପଞ୍ଚାନନ ମନ୍ଦିର ଛକ ଠାରେ ଦାଦା ବଟି ଆଦାୟ କରୁଥିବା ନେଇ ଗତ ୧୯ ତାରିଖରେ ଚଢଉ କରିଥିଲା । ୩୧୮ /୨୬ ମାମଲା ରୁଜୁ କରି ୩ ଜଣକୁ ଗିରଫ କରି ୨ଟି ଛୁରି ୬୪୦ ଟଙ୍କା ଜବତ କରିଛି ।ଅନୁରୂପ ଭାବେ ଅଭିଯୁକ୍ତ ସଞ୍ଜୟ ସୁନା ନାମରେ ଜୟପୁର ଜୟପୁର ଟାଉନ, ସଦର, ବୋରିଗୁମ୍ମା, ବିସିଂପୁର, କୋଟପାଡ, କୋରାପୁଟ ସଦର , ନବରଙ୍ଗପୁରରେ ୧୫ ବର୍ଷ ହେବ ହତ୍ୟା ଉଦ୍ୟମ, ଲୁଟ, ଡକାୟତି, ଗଞ୍ଜେଇ ଚାଲାଣ ଭଳି ୨୫ରୁ ଉର୍ଦ୍ଧ୍ଵ ଅପରାଧିକ ମାମଲା ରହିଛି । ଅପରାଧ ନିୟନ୍ତ୍ରଣ ପାଇଁ ଅଭିଯୁକ୍ତ ସଞ୍ଜୟ ସୁନା ନାମରେ (ଏନଏସଏ) ଜାତିୟ ସୁରକ୍ଷା ଆଇନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଷୟ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲସ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି