
କନ୍ଧମାଳ, ୨୦ ଅଗଷ୍ଟ(ହି.ସ.) – କନ୍ଧମାଳ କନ୍ଧମାଳରେ ଆଜି ଠାରୁ ଆରମ୍ଭ ହୋଇଛି ୮୧ତମ ରାଜ୍ୟ ପୁଲିସ ଫୁଟବଲ୍ ଚାମ୍ପିୟନସିପ୍। କନ୍ଧମାଳ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।୧୨ ଦିନ ଧରି କନ୍ଧମାଳରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟର ଉଦଘାଟନୀ ଦିବସରେ ପୋଲିସ୍ଆ ଦକ୍ଷୀଣାଂଚଳ ଆଇଜି ଶ୍ରୀ ନୀତି ଶେଖର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଚାମ୍ପିୟନସିପ୍ରେ ରାଜ୍ୟର ବିଭିନ୍ନ ଜିଲ୍ଲା ପୁଲିସ ଓ ସଶସ୍ତ୍ର ପୁଲିସ ବାହିନୀର ମୋଟ ୪୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ଦଳଗୁଡ଼ିକ ମଧ୍ୟରେ ଲିଗ୍ ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟ ପରେ ଯୋଗ୍ୟତା ହାସଲ କରିଥିବା ଦଳଗୁଡ଼ିକୁ ନେଇ ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ।
ପ୍ରତିଯୋଗିତାରେ ପ୍ରତିଦିନ ପ୍ରାୟ ୫ରୁ ୬ଟି ମ୍ୟାଚ୍ ଖେଳାଯିବ। ଏହା ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ସମେତ କରୋନେସନ ପଡ଼ିଆ, ମାଦିକୁନ୍ଦା ରିଜର୍ଭ ପୋଲିସ ପଡ଼ିଆ ଏବଂ ବୁଡ଼ାଦାନୀ ଖେଳ ପଡ଼ିଆ ଫୁଟବଲ୍ ଗ୍ରାଉଣ୍ଡରେ ଏହି ଟୁର୍ଣ୍ଣାମେଂଟର ରୋମାଂଚକର ମଚ୍ଗୁଡ଼ିକ ଦେଖିବାକୁ ମିଳିବ। ଆଜିର ଉଦ୍ଘାଟନୀ ମ୍ୟାଚ୍ରେ କନ୍ଧମାଳ ପୋଲିସ୍ ଟିମ୍ ଓ ସିଗ୍ନାଲ କଟକ ପରସ୍ପରକୁ ଭେଟିଛନ୍ତି। ମ୍ୟାଚ୍ଟି ସକାଳ ୯ଟା ୩୦ ମିନିଟ୍ରେ କନ୍ଧମାଳ ରିଜର୍ଭ ପୁଲିସ ପରେଡ୍ ଗ୍ରାଉଣ୍ଡରେ ଖେଳ ଆରମ୍ଭ ହୋଇଛି।
ରାଜ୍ୟ ପୁଲିସର ଏହି ବଡ଼ ଧରଣର କ୍ରୀଡ଼ା ଆୟୋଜନକୁ ନେଇ କନ୍ଧମାଳ ଜିଲ୍ଲାର ଫୁପବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଚାମ୍ପିୟନସିପ୍ ଅବସରରେ ବିଭିନ୍ନ ଅଂଚଳରେ ଫୁଟବଲ ପ୍ରେମୀଙ୍କ ଭିଡ଼ ଜମିବା ସହ ରାଜ୍ୟ ପୁଲିସର ଶ୍ରେଷ୍ଠ ଫୁଟବଲ୍ ଦଳ କିଏ ହେବ, ତାହାକୁ ନେଇ ରୋମାଂଚ ବଢ଼ିବା ନେଇ ଆଶା କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ