
ଜୟପୁର, ୨୦ ଅଗଷ୍ଟ (ହି.ସ.)-ଜୟପୁର ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୨ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି l ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଧାନର ଜନ୍ମସ୍ଥାନ ଜୟପୁର ଠାରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ସ୍ଥାପନ କରିବା ସହ ଇଞ୍ଜିନିଅରିଂ ମହାବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରାଯାଇଛି l ବିଶ୍ବ ପ୍ରସିଦ୍ଧ ଧାନର ଜନ୍ମସ୍ଥାନ ଜୟପୁରଠାରେ ଓୟୁଏଟି ଅଧୀନରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରାଯାଇଛି l ବିଶ୍ୱ ଐତିହ୍ୟ ଓ ଜୈବବିବିଧତା: ଜୟପୁର ଅଞ୍ଚଳରେ ୧୫୦୦ରୁ ଅଧିକ ପାରମ୍ପରିକ ଧାନ ଜାତ ରହିଛି ଏବଂ ଏହା ଚାଷ ହୋଇଥିବା ଧାନର ପ୍ରାଥମିକ ଉତ୍ପତ୍ତି ସ୍ଥଳ l ଭାରତରେ ଆଉ କୌଣସି ସ୍ଥାନରେ ଏପରି ଜୀବନ୍ତ ଜିନ୍ ବ୍ୟାଙ୍କ ନାହିଁ। ଏଠାରେ କୃଷି ମହାବିଦ୍ୟାଳୟ ହେଲେ ଏହା ବିଶ୍ବ ଧାନ ଗବେଷଣା କେନ୍ଦ୍ର ହୋଇପାରିବ । ଅବିଭକ୍ତ କୋରାପୁଟ କୃଷକଙ୍କ ଆବଶ୍ୟକତା: ଦକ୍ଷିଣ ଓଡିଶାର ୮୦ ପ୍ରତିଶତ ଲୋକ କୃଷି, ମିଲେଟ ଓ ଜୈବିକ ଚାଷ ଉପରେ ନିର୍ଭରଶୀଳ, କିନ୍ତୁ ୩୫୦ କି.ମି.ମଧ୍ୟରେ ଗୋଟିଏ ବି କୃଷି ଡିଗ୍ରୀ କଲେଜ ନାହିଁ। ଆମ ଚାଷୀ ଓ ଯୁବକମାନଙ୍କୁ ଜଳବାୟୁ ଅନୁକୂଳ ଫସଲ, ଉଦ୍ୟାନ କୃଷି ଓ କୃଷି-ବ୍ୟବସାୟ ଉପରେ ଆଧୁନିକ ତାଲିମ ଦରକାର । ଆଦିବାସୀ କୃଷି ଓ ମିଲେଟ ମିଶନ, ଅବିଭକ୍ତ କୋରାପୁଟ ହେଉଛି ମିଲେଟ, ଜୈବିକ ପନିପରିବା ଓ ବନଜାତ ଦ୍ରବ୍ୟର ହୃଦସ୍ଥଳା ଜୟପୁରରେ କୃଷି ମହାବିଦ୍ୟାଳୟ ହେଲେ ପୋଷକ ଶସ୍ୟ, ପ୍ରାକୃତିକ ଚାଷ ଓ ଏଫପିଓ ବିକାଶ ଉପରେ ଗବେଷଣା ହୋଇପାରିବ । ପର୍ଯ୍ୟଟନ ଓ କୃଷି ଶିକ୍ଷା : ଧାନ ବିବିଧତା ଦେଖିବାକୁ ବିଶ୍ବରୁ ଗବେଷକମାନେ ଜୟପୁର ଆସନ୍ତି । ଏଠାରେ ଧାନ ବିବିଧତା ଉଦ୍ୟାନ ସହିତ କୃଷି ମହାବିଦ୍ୟାଳୟ ଶିକ୍ଷା, ଗବେଷଣା ଓ ପର୍ଯ୍ୟଟନକୁ ଏକାଠି କରିବ ।ତେଣୁ ରାଜ୍ୟ ସରକାର ଓୟୁଏଟି ଅଧୀନରେ ଜୟପୁର ଠାରେ ଏକ ସରକାରୀ କୃଷି ମହାବିଦ୍ୟାଳୟ ସହ ଧାନ ବିବିଧତା ଓ ଆଦିବାସୀ କୃଷି କେନ୍ଦ୍ର” ମଞ୍ଜୁର କରନ୍ତୁ। ଏହା ଜୟପୁରର ବିଶ୍ବ ପରିଚୟକୁ ସମ୍ମାନ ଦେବ ଏବଂ ଅବିଭକ୍ତ କୋରାପୁଟ କୃଷକଙ୍କ ଭବିଷ୍ୟତ ସୁରକ୍ଷିତ କରିବ । ଏହାସହ ଜୟପୁର ବିକାଶ ମଞ୍ଚ ଏବଂ ସମଗ୍ର ଅବିଭକ୍ତ କୋରାପୁଟ ଅଞ୍ଚଳବାସୀଙ୍କ ତରଫରୁ ଆମର ବିନମ୍ର ନିବେଦନ ଯେ, ଜୟପୁର ଠାରେ ଏକ ସମ୍ପୂର୍ଣ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ସ୍ଥାପନ କରାଯାଉ ।ଅବିଭକ୍ତ କୋରାପୁଟର ଶିକ୍ଷାଗତ ପଛୁଆପଣ : ଦଶଟି ଆଦିବାସୀ ଜିଲ୍ଲାର ଛାତ୍ରମାନଙ୍କୁ ବି ଟେକ ପାଇଁ ଦୂର ଦୂରାନ୍ତ ଭୁବନେଶ୍ବର, ରାଉରକେଲା ବା ବୁର୍ଲା ଯିବାକୁ ପଡୁଛି । ଏଥିଯୋଗୁ ଦରିଦ୍ର ଆଦିବାସୀ ପରିବାରର ଛାତ୍ରମାନେ ପାଠ ଛାଡୁଛନ୍ତି । ଶିଳ୍ପ ଓ ଭିତ୍ତିଭୂମି ବିକାଶର କେନ୍ଦ୍ର : ହାଲ, ନାଲକୋ, ଖଣି, ରାସ୍ତା ଓ ପର୍ଯ୍ୟଟନ ପ୍ରକଳ୍ପ ସହିତ ଜୟପୁର ଦକ୍ଷିଣ ଓଡିଶାର ପ୍ରବେଶ ଦ୍ବାର ହୋଇ ଉଠୁଛି । ଏଠାରେ ଇଞ୍ଜିନିୟରିଂ ମହାବିଦ୍ୟାଳୟ ହେଲେ ସ୍ଥାନୀୟ ଯୁବକମାନେ ବିଭିନ୍ନ ଶିଳ୍ପରେ ନିଯୁକ୍ତି ପାଇପାରିବେ । କେନ୍ଦ୍ରୀୟ ଅବସ୍ଥାନ ଓ ଜମି ଉପଲବ୍ଧତା : ଜୟପୁର ସଡ଼କ, ରେଳ ଓ ବିମାନ ସେବା ଦ୍ବାରା ସୁସଂଯୁକ୍ତ । ଏଠାର ଜଳବାୟୁ ସୁନ୍ଦର ଏବଂ କ୍ୟାମ୍ପସ ପାଇଁ ସରକାରୀ ଜମି ଉପଲବ୍ଧ । ଏହା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ତେଲେଙ୍ଗନା, ଆନ୍ଧ୍ର ଏବଂ ଛତିଶଗଡ ସୀମାର ବିକଶିତ ଓଡିଶା ୨୦୩୬ ଲକ୍ଷ୍ୟ : ଏକ ଇଞ୍ଜିନିୟରିଂ ମହାବିଦ୍ୟାଳୟ ସିଭିଲ, ମେକାନିକାଲ, ସିଏସଇ, ମାଇନିଂ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସ୍ଥାନୀୟ ପ୍ରତିଭା ସୃଷ୍ଟି କରି ଆପଣଙ୍କ ଦୂରଦୃଷ୍ଟିକୁ ସାକାର କରିବ । ଆସନ୍ତା ଶିକ୍ଷା ବର୍ଷରୁ ବିପିୟୁଟି ଅଧୀନରେ ଜୟପୁରଠାରେ ଏକ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ମଞ୍ଜୁର କରନ୍ତୁ ବୋଲି ଜୟପୁର ବିକାଶ ମଞ୍ଚର ସାଧାରଣ ସମ୍ପାଦକ ନବ କୃଷ୍ଣ ରଥ ଦାବି କାରି ମୁଖ୍ୟ ମନ୍ତ୍ରୀଙ୍କୁ ପତ୍ର ପଠାଇଛନ୍ତି l ଏହି ଦାବି ପତ୍ର ର ନକଲ ଉଚ୍ଚଶିକ୍ଷା ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କୋରାପୁଟ ଜିଲ୍ଲାପାଳ, ଜୟପୁର ବିଧାୟକଙ୍କୁ ପ୍ରଦାନ କରାଯାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି