
ନୂଆପଡ଼ା,୨୦ ଅଗଷ୍ଟ (ହି.ସ.) - ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହରରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ଗଳି, ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଦଳ ଦଳ ହୋଇ ବୁଲୁଥିବା କୁକୁରଙ୍କ ଯୋଗୁଁ ସାଧାରଣ ଲୋକେ ଭୟଭୀତ ହେଉଛନ୍ତି। ବିଶେଷକରି ରାତି ସମୟରେ କୁକୁରଙ୍କ ଉତ୍ପାତ ବଢ଼ିଯାଉଥିବାରୁ ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକେ ବିପଦର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ କୁକୁରମାନେ ଗାଡ଼ି ପଛରେ ଗୋଡ଼ାଇବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ଛୋଟ ପିଲା ଓ ବୃଦ୍ଧମାନଙ୍କୁ ମଧ୍ୟ କୁକୁର କାମୁଡ଼ିବା ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବା ସହ ଟିକାକରଣ, ଧରପଗଡ଼ ଓ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଏହି ସମସ୍ୟା ପ୍ରତି ଖଡ଼ିଆଳ ଏନ୍ଏସି ପକ୍ଷରୁ ଏଯାଏଁ ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ତୁରନ୍ତ ପଦକ୍ଷେପ ନେଇ ସହରବାସୀଙ୍କୁ ବୁଲା କୁକୁର ଆତଙ୍କରୁ ମୁକ୍ତ କରିବାକୁ ଦାବି ହୋଇଛି। ଏନେଇ ଏନଏସି ଇଓ ସ୍ୱାଧୀନ କେତନ ମହାରଣାଙ୍କୁ ଯୋଗାଯୋଗ କରାଯିବାରୁ ସିଡିଭିଓଙ୍କ ଯୋଗାଯୋଗ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ