
ଖୋର୍ଦ୍ଧା, ୨୦ ଅଗଷ୍ଟ (ହି.ସ.)- ପିଆଜର ଦର ବୃଦ୍ଧି ରୋକିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶରେ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାର ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ ବଜାର ଉପରେ ଚଢ଼ଉ କରାଯାଇଥିଲା।ଭୁବନେଶ୍ୱର ର ଆଈଗିଣିଆ ଠାରେ ଥିବା ବିଭିନ୍ନ ପିଆଜ ଗୋଦାମ ଉପରେ ଚଢ଼ଉ କରାଯାଇ ଗଛିତ ପରିମାଣ ଓ ମୂଲ୍ୟ ଉପରେ ତଦାରଖ କରାଯାଇଥିଲା। ଯାଞ୍ଚ ରୁ ଜଣା ପଡିଥିଲା ଯେ, ଆସିବା ସ୍ଥାନରୁ ମୂଲ୍ୟ ବୃଦ୍ଧି ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୂଲ୍ୟ ବୃଦ୍ଧି ଘଟିଛି। କ୍ରୟ ସ୍ଥାନରେ ମୂଲ୍ୟ କିଲୋ ପିଛା ୩୭ରୁ ୪୨ଟଙ୍କା ଥିବାର ଗୋଦାମ ମାଲିକ ମାନେ ଜଣାଇଥିଲେ। ଏଥି ପାଇଁ ଖୁଚୁରା ଦୋକାନ ମାନଙ୍କରେ ମୂଲ୍ୟ ୪୦ ରୁ ୪୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବାର ଦେଖା ଦେଇଥିଲା। ସମସ୍ତ ଖୁଚୁରା ଏବଂ ହୋଲସେଲର ମାନଂକୁ ସେମାନଙ୍କର ଗଛିତ ଓ ମୂଲ୍ୟ ସାରଣୀ ଦୋକାନ ସାମ୍ନାରେ ମାରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଜଣାଯାଇଥିଲା ଯେ ଆମଦାନୀ ପରିମାଣରେ କୌଣସି କମ ହୋଇନାହିଁ।ତେଣୁ ବଜାରରେ ପିଆଜ ଆବଶ୍ୟକ ଅନୁଯାଇ ମହଜୁଦ ଅଛି। ଖୋର୍ଦ୍ଧାର ମୁନିସିପାଲିଟି ବଜାର ସହ ଭୁବନେଶ୍ୱରର ଚାରି ନମ୍ବର ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ, କୋଚିଲେଇ ହାଟ ଓ ଏକ ନମ୍ବର ବଜାରରେ ଯାଞ୍ଚ କରାଯାଇଥିଲା।
ଏହି ଚଢ଼ଉରେ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ଦତ୍ତ ଓ ନିରୀକ୍ଷିକା ଅଲିଭା ଦାସ, ରିତା ମାଝୀ ଓ ଶ୍ରଦ୍ଧାଞ୍ଜଳି ସେଠି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଯାଞ୍ଚ ଜାରି ରହିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ