
ଝାରସୁଗୁଡ଼ା, ୨୦ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର କଲେଜ ପରିଦର୍ଶନ କରି କ୍ୟାମ୍ପସରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଉଭୟ ବ୍ରଜରାଜନଗର ଏବଂ ବେଲପାହାଡ଼ କଲେଜର ଭିତ୍ତିଭୂମି ତଥା ଶିକ୍ଷାଗତ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କଲେଜର ବିକାଶକୁ ଦୃଷ୍ଟିରେ ରଖି ଏକ ବ୍ଲୁ-ପ୍ରିଣ୍ଟ ସହ ସମ୍ପୂର୍ଣ୍ଣ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ କଲେଜର ଅବ୍ୟବହୃତ ହୋଇ ପଡ଼ିରହିଥିବା ହଷ୍ଟେଲ ପରିସର ଅନୁଧ୍ୟାନ କରିଥିଲେ। ଏହି ଛାତ୍ରାବାସକୁ ପରିତ୍ୟକ୍ତ ଅବସ୍ଥାରେ ନ ରଖି ଶୀଘ୍ର ଉପଯୁକ୍ତ ବ୍ୟବହାର ଉପଯୋଗୀ କରିବା ପାଇଁ ସେ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉପଲବ୍ଧ ସମ୍ବଳ ଓ ଜମିର ସଠିକ୍ ବିନିଯୋଗ ପାଇଁ ସମସ୍ତ ଅଂଶୀଦାରମାନଙ୍କ ସହ ଏକ ସମନ୍ୱୟ ବୈଠକ ଡକାଇ ଆଗାମୀ ୧୦ ଦିନ ମଧ୍ୟରେ ଏକ କାର୍ଯ୍ୟକ୍ଷମ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ବ୍ରଜରାଜନଗର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ବେଲପାହାଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ପୂର୍ତ୍ତ ବିଭାଗର ଏସଡିଓ ସୁରଥ ନାଏକ, ପୌର ଯନ୍ତ୍ରୀ, କଲେଜର ଅଧ୍ୟାପକ-ଅଧ୍ୟାପିକା ଏବଂ ପୁରାତନ ଛାତ୍ର ସଂସଦର ସଦସ୍ୟମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ