
ବଲାଙ୍ଗିର, ୨୦ ଅଗଷ୍ଟ (ହି.ସ.)- ଜୀବନ ଥିବା ଯାଏଁ ସେମାନେ ଥିଲେ ଅପରିଚିତ, ଅଲୋଡ଼ା ଆଉ ବେସାହାରା। ଦୁଆର ଦୁଆର ବୁଲି ଭିକ୍ଷା ଥାଳିରେ ପେଟର ଭୋକ ମେଣ୍ଟାଉଥିବା ସେହି ନିଃସହାୟ ମଣିଷ ଦୁଇଜଣଙ୍କ ପାଇଁ ଶେଷରେ ମାନବିକତାର କାନ୍ଧ ଯୋଗାଇ ଦେଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ। ପବିତ୍ର ଶ୍ରାବଣ ମାସର ପୂଣ୍ୟ ତିଥିରେ ଦୁଇ ଦୁଇଟି ଅଜଣା ଭିକ୍ଷୁକଙ୍କ ଶବକୁ ଆପଣାର କରି ସସମ୍ମାନେ ଅନ୍ତିମ ସଂସ୍କାର ସମ୍ପନ୍ନ କରି ଏକ ବିରଳ ମାନବୀୟ ବାର୍ତ୍ତା ବାଣ୍ଟି ପାରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ।
ପ୍ରାପ୍ତ ସୂଚନା ଅନୁଯାୟୀ, ପୁଇନ୍ତଲା ଥାନା ଅନ୍ତର୍ଗତ ଭାଲେର ଗ୍ରାମରେ ଜଣେ ଅଜଣା ବ୍ୟକ୍ତି ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିଲେ। ହଠାତ୍ ଗ୍ରାମର ଜଣଙ୍କ ଘର ବାରଣ୍ଡାରେ ସେ ଅଚେତ ଅବସ୍ଥାରେ ପଡ଼ିରହିଥିବା ବେଳେ ପୁଇନ୍ତଲା ପୋଲିସ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେହିପରି ଅନ୍ୟ ଜଣେ ଭିକ୍ଷୁକ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଭିକ ମାଗି ଚଳୁଥିବା ବେଳେ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ଉଭୟ ଥାନା ପୋଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିଚୟ ସନ୍ଧାନ ନିମନ୍ତେ ମେଡିକାଲ ଶବ ସଂରକ୍ଷଣ ଗୃହରେ ନିୟମାନୁଯାୟୀ ୭୨ ଘଣ୍ଟା ସଂରକ୍ଷିତ ରଖାଯାଇଥିଲା। ମାତ୍ର କୌଣସି ଆତ୍ମୀୟ ସ୍ୱଜନ ସେମାନଙ୍କୁ ଚିହ୍ନଟ କରିବାକୁ କିମ୍ବା ଶବ ନେବାକୁ ଆଗେଇ ଆସିନଥିଲେ। ଶେଷରେ ଆଦର୍ଶ ଟାଉନ୍ ଥାନା ଓ ପୁଇନ୍ତଲା ଥାନା ପୋଲିସର ଉପସ୍ଥିତିରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏହି ଦୁଇ ଅଜଣା ମୃତକଙ୍କ ଅନ୍ତିମ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲା। ସଂଗଠନ ସଦସ୍ୟମାନେ ମେଡିକାଲ ଶବଗୃହରୁ ଉଭୟ ମରଶରୀରକୁ ସ୍ୱର୍ଗ ରଥ ଯୋଗେ ବିଭୂତିପଡ଼ା ସ୍ଥିତ ଶ୍ମଶାନ ଘାଟକୁ ନେଇଥିଲେ। ସେଠାରେ ସମ୍ମାନର ସହ ଦାହ ସଂସ୍କାର ସମ୍ପନ୍ନ କରାଯାଇଥିଲା।
ଏହି କାର୍ଯ୍ୟରେ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ରବୀନ୍ଦ୍ର ପ୍ରଧାନ, ଅଙ୍କିତ ସାହୁ, ଉତ୍ତମ ନନ୍ଦ, ସୀମାଞ୍ଚଳ ସୁନା, ପ୍ରଦୀପ ଯୁଏଡ ଓ ସୁମିତ୍ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶେଷ ଯାତ୍ରାର ସମସ୍ତ ବିଧି ସମ୍ପାଦନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ