
ଝାରସୁଗୁଡ଼ା, ୨୦ ଅଗଷ୍ଟ (ହି.ସ.)
ଇବ୍ ଠାରୁ ମରାକୁଟା ଓ ସରବାହାଲ ବାଇପାସ୍ ଦେଇ ବୃନ୍ଦାମାଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ରାସ୍ତାରେ ଭାରୀ ଯାନ ଚଳାଚଳ ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଜମେରା, ମରାକୁଟା ଓ ବୃନ୍ଦାମାଲ ଗ୍ରାମବାସୀ ତଥା ଛାତ୍ରଛାତ୍ରୀମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରୁଙ୍ଗଟା କମ୍ପାନୀର ଭାରୀ ଟ୍ରକ୍ ସମେତ ଅନ୍ୟାନ୍ୟ ଭାରୀ ଯାନ ଦିନରାତି ଏହି ରାସ୍ତାରେ ଚଳାଚଳ କରୁଛି। ଫଳରେ ରାସ୍ତାର ପିଚୁ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଏଥିଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ଧୂଳି ପ୍ରଦୂଷଣ ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ବିଶେଷକରି ଶିଶୁ ଓ ବୃଦ୍ଧମାନେ ଧୂଳି ପ୍ରଦୂଷଣରେ ଅସୁବିଧା ଭୋଗୁଥିବା ବେଳେ ସ୍କୁଲ-କଲେଜ ଛାତ୍ରଛାତ୍ରୀ, ବ୍ୟାଙ୍କ କର୍ମଚାରୀ ଓ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ବିପଦସଙ୍କୁଳ ହୋଇପଡ଼ିଛି।
ଅନ୍ୟପକ୍ଷରେ ପାୱାର ହାଉସ୍ ରେଳ ଫାଟକ ନିକଟରେ ମାଲବାହୀ ଓ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ସମୟରେ ଦୀର୍ଘ ସମୟ ଧରି ଫାଟକ ବନ୍ଦ ରହୁଛି। ଏହି ସମୟରେ ଭାରୀ ଟ୍ରକ୍ ଗୁଡ଼ିକ ଯୋଗୁଁ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଥିବାରୁ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି ବୋଲି ଅଞ୍ଚଳବାସୀ କହିଛନ୍ତି। ସମସ୍ୟାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ରୁଙ୍ଗଟା କମ୍ପାନୀ ସମେତ ସମସ୍ତ ଭାରୀ ଯାନବାହନ ଚଳାଚଳ ଉପରେ କଡ଼ାକଡ଼ି ନୋ-ଏଣ୍ଟ୍ରି ଲାଗୁ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ଦାବିପତ୍ର ପ୍ରଦାନ ସମୟରେ ମହେନ୍ଦ୍ର ଗୁରୁ, ଆମର ସାହୁ, ତୋଫାନ ଭୋଇ, ରୋଶନ ଗୁରୁ, ସଚିନ ନାୟକ, ହୃଦାନନ୍ଦ ସାହୁ, ପ୍ରଦୀପ ଅଗ୍ରୱାଲ, ନିରାନ୍ତ ଖଡିଆ, ବିଳାସିନୀ ସାହୁ, ଅମାଜିନି ଗୁରୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ