
ଭୁବନେଶ୍ୱର ,୨୦ ଅଗଷ୍ଟ (ହି.ସ.) - ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଗୁରୁବାର ଉନ୍ନତି ଭବନସ୍ଥିତ ୱାଟକୋ କନଫରେନ୍ସ ହଲ୍ ଠାରେ ସ୍ୱରେଜ୍ ବିଭାଗର ସମସ୍ତ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ଏକାମ୍ର ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିଭିନ୍ନ ସ୍ୱରେଜ୍ ଓ ଡ୍ରେନେଜ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।
ବୈଠକରେ ବିଭିନ୍ନ ପ୍ରକଳ୍ପର ବର୍ତମାନ ସ୍ଥିତି, କାର୍ଯ୍ୟର ଅଗ୍ରଗତି ଏବଂ ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ, ସ୍ୱଚ୍ଛ ଓ ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ବିଧାୟକ ଶ୍ରୀ ସିଂ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳରେ ଥିବା ସ୍ୱାରେଜ୍ ଓ ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ସହିତ ଜନସାଧାରଣଙ୍କୁ ଉନ୍ନତ ନାଗରିକ ସୁବିଧା ଯୋଗାଇଦେବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ।
ଏକାମ୍ରର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସୁବିଧାକୁ ସର୍ବାଧିକ ପ୍ରାଥମିକତା ଦେଇ ପ୍ରତ୍ୟେକ ପ୍ରକଳ୍ପକୁ ଦାୟିତ୍ୱବୋଧ, ସ୍ୱଚ୍ଛତା ଓ ଗୁଣବତାର ସହିତ ଆଗେଇ ନେବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଜନସାଧାରଣଙ୍କ ଆଶା, ଆବଶ୍ୟକତା ଓ ମୌଳିକ ନାଗରିକ ସୁବିଧା ପୂରଣ ଦିଗରେ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା