ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର
ମହାରାଷ୍ଟ୍ର ନିର୍ବାଚନ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ.) - ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସଫଳ କାର୍ଯ୍ୟାନ୍ୱୟନ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ୍. ଗୋପାଳନ ମହାରାଷ୍ଟ୍ରର ନିର୍ବାଚନ
ceo


ମହାରାଷ୍ଟ୍ର ନିର୍ବାଚନ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ.) - ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ସଫଳ କାର୍ଯ୍ୟାନ୍ୱୟନ ନେଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ୍. ଗୋପାଳନ ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଓ ଅଭିଜ୍ଞତା ବାଂଟିଛନ୍ତି। ମହାରାଷ୍ଟ୍ର ସିଇଓ ଶ୍ରୀ ଏସ୍. ଚୋକାଲିଙ୍ଗମ୍ ଙ୍କ ନିମନ୍ତ୍ରଣ କ୍ରମେ ମୁମ୍ବାଇ ଗସ୍ତ କରି ଶ୍ରୀ ଗୋପାଳନ ମୁମ୍ବାଇ ମହାନଗର ନିଗମର ୪ ଜଣ ଅତିରିକ୍ତ ପୌର ଆୟୁକ୍ତ, ୫ଟି ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ।

ଏହି ଆଲୋଚନା ଚକ୍ରରେ ଓଡ଼ିଶାରେ ସଫଳତାପୂର୍ବକ ସମ୍ପାଦିତ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଯୋଜନା, ସମୀକ୍ଷା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ନିର୍ବାଚକମାନଙ୍କର ସଠିକ୍ ମ୍ୟାପିଂ, କ୍ଷେତ୍ର ସ୍ତରୀୟ ସମନ୍ୱୟ, ପ୍ରଯୁକ୍ତିବିଦ୍ୟା ଆଧାରିତ ମନିଟରିଂ, ନୋଟିସ୍ ଜାରି, ଶୁଣାଣି ଏବଂ ମାମଲାର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ଉପରେ ଓଡ଼ିଶା ସିଇଓ ଶ୍ରୀ ଗୋପଳନ ଆଲୋକପାତ କରିଥିଲେ।

ଶ୍ରୀ ଗୋପାଳନ ଜଣାଇଥିଲେ ଯେ ଓଡ଼ିଶା ମଡେଲ୍ ରେ ତଥ୍ୟ ଆଧାରିତ ମନିଟରିଂ ଏବଂ ପ୍ରତ୍ୟେକ ସ୍ତରରେ ଉତରଦାୟିତ୍ୱ ନିର୍ଦ୍ଧାରଣକୁ ପ୍ରାଥମିକତା ଦିଆଯାଇଥିଲା। ବୁଥ୍ ଏବଂ ବିଏଲ୍ଓ ସ୍ତରରେ ମ୍ୟାପିଂ ଅଗ୍ରଗତିର ନିରନ୍ତର ସମୀକ୍ଷା କରାଯିବା ସହ କମ୍ ପ୍ରଦର୍ଶନ କରୁଥିବା ଅଂଚଳଗୁଡ଼ିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। ଏହାବାଦ୍ ସାଧାରଣ ନାଗରିକଙ୍କ ସୁବିଧା ଏବଂ ସ୍ୱୀପ୍ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରି ଭୋଟରଙ୍କ ସହଭାଗିତା ବୃଦ୍ଧି କରାଯାଇଥିଲା।

ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସଂଶୋଧନ ପ୍ରକ୍ରିୟାରେ ନାଗରିକଙ୍କ ସହଭାଗିତାକୁ ସହଜ କରିବା ଏବଂ ଯୋଗ୍ୟ ନାଗରିକମାନଙ୍କୁ ନିଜ ଭୋଟର ତାଲିକାର ବିବରଣୀ ଯାଂଚ ଓ ଅଦ୍ୟତନ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଶ୍ରୀ ଗୋପାଳନ ଓଡ଼ିଶାରେ ବର୍ତମାନର ଭୋଟର ତାଲିକାକୁ ପୂର୍ବ ଭୋଟର ତାଲିକା ସହିତ ମ୍ୟାପିଂ କରିବାର ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ। ଏଥିରେ ମ୍ୟାପ୍ ହୋଇଥିବା, ମ୍ୟାପ୍ ହୋଇନଥିବା ଏବଂ ଅସଙ୍ଗତି ଥିବା ମାମଲାଗୁଡ଼ିକୁ ସୁସଂଗଠିତ ଭାବେ ଚିହ୍ନଟ କରାଯାଉଥିବା ବିଷୟରେ ସେ ସୂଚନା ଦେଇଥିଲେ।

ବୁଥ୍ ୱାରୀ ଓ ବିଏଲ୍ଓ ୱାରୀ ମ୍ୟାପିଂ ପ୍ରଗତିର ନିରନ୍ତର ତଦାରଖ, କମ୍ ପ୍ରଗତି ହେଉଥିବା ଅଂଚଳରେ ସ୍ୱତନ୍ତ୍ର ହସ୍ତକ୍ଷେପ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ଓ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ତଥ୍ୟଭିତିକ ମନିଟରିଂ ଓ ସ୍ପଷ୍ଟ ଉତରଦାୟିତ୍ୱ ଓଡ଼ିଶା ମଡେଲ୍ ର ମୁଖ୍ୟ ବୈଶିଷ୍ଟ୍ୟ ବୋଲି ସେ କହିଥିଲେ।

ସେହିପରି, ଏସ୍ଆଇଆର ର ନୋଟିସ୍ ଓ ଶୁଣାଣି ପର୍ଯ୍ୟାୟ ସମ୍ପର୍କରେ ମଧ୍ୟ ଶ୍ରୀ ଗୋପାଳନ ବିସ୍ତୃତ ସୂଚନା ଦେଇଥିଲେ।ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ପରିଚାଳନା କରିବାରେ ନିୟମିତ ସମୀକ୍ଷା ବୈଠକ, ସମସ୍ୟା ଚିହ୍ନଟ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶାର ଅଭିଜ୍ଞତାରୁ ପ୍ରମାଣିତ ହୋଇଛି ବୋଲି ସେ କହିଥିଲେ।

ମହାରାଷ୍ଟ୍ରର ନିର୍ବାଚନ ଅଧିକାରୀମାନେ ଶ୍ରୀ ଗୋପାଳନଙ୍କ ସହ ଏସ୍ଆଇଆର୍ କାର୍ଯ୍ୟାନ୍ୱୟନର ବିଭିନ୍ନ ପରିଚାଳନାଗତ ଦିଗ ଉପରେ ଆଲୋଚନା କରିଥିଲେ।

ଶ୍ରୀ ଏସ୍. ଚୋକ୍କାଲିଙ୍ଗମ୍ ଏସ୍ଆଇଆର୍ କାର୍ଯ୍ୟାନ୍ୱୟନରେ ଓଡ଼ିଶା ମଡେଲ୍ ଏବଂ ରାଜ୍ୟ ଆପଣାଇଥିବା ସୁସଂଗଠିତ ପଦ୍ଧତିକୁ ପ୍ରଶଂସା କରିଥିଲେ।ବିଶେଷ କରି ମ୍ୟାପିଂ, ମନିଟରିଂ, ନୋଟିସ୍ ପ୍ରସ୍ତୁତି ଓ ଶୁଣାଣି କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ପଦ୍ଧତିଗୁଡ଼ିକୁ ମହାରାଷ୍ଟ୍ରରେ ଏସ୍ଆଇଆର୍ ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଉପଯୁକ୍ତ ଭାବେ ପରୀକ୍ଷା କରି ଆପଣାଯିବ ବୋଲି ସେ ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande