
ଚମ୍ପୁଆ, ୨୦ ଅଗଷ୍ଟ (ହି.ସ.)- ଚମ୍ପୁଆ ବ୍ଲକ ରଜିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବୀରେ ଅଭିଭାବକମାନେ ତାଲାବନ୍ଦ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଏଠାରେ ଶିକ୍ଷକ ପଦବୀ ପୂରଣ ଦାବୀରେ ସ୍କୁଲ ଗେଟରେ ଅଭିଭାବକ ତାଲା ପକାଇଥିବା ଜଣାପଡିଛି । ଚମ୍ପୁଆ ବ୍ଲକ ଦୋଳିତା ସ୍ଥିତ ରଜିଆ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରେ ଆଜି ତାଲା ପକାଇ ପ୍ରତିବାଦ କରିଛନ୍ତି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ୨୫୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ବିଦ୍ୟାଳୟରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ଜଣେ ହେଲେ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପାଇଁ ମାତ୍ର ଚାରିଜଣ ଶିକ୍ଷକ ଅଛନ୍ତି । ପିଇଟି ଓ ହିନ୍ଦୀ ଶିକ୍ଷକ ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିଛି । ଏହା ସହ ବିଦ୍ୟାଳୟର ଗଣିତ ଶିକ୍ଷକଙ୍କୁ ଦୁଇ ମାସରୁ ଅଧିକ ହେବ ଏସଆଇଆର ଡ୍ୟୁଟି ଦିଆଯାଇଥିବାରୁ ଦୁଇମାସ ହେବ ସେ ସ୍କୁଲ ଆସୁନଥିବାରୁ ଦୁଇ ମାସ ହେବ ସ୍କୁଲରେ ଗଣିତ ପାଠ ପଢା ବନ୍ଦ ରହିଛି । ଆଗକୁ ମେଟ୍ରିକ୍ ପରୀକ୍ଷା ଥିବାବେଳେ ପାଠ ପଢ଼ା ହେଇ ପାରୁନାହିଁ । ଏହାକୁ ନେଇ ଅଭିଭାବକ ଅନେକ ଥର ଶିକ୍ଷା ବିଭାଗ, ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କେହି ଗୁରୁତ୍ବ ଦେଉନଥିବାରୁ ଆଜି ବିଦ୍ୟାଳୟରେ ଚାବି ପକାଇଛନ୍ତି ଅଭିଭାବକ । ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ବାହାରେ ରହିଥିବାରୁ ପାଠ ପଢା ବନ୍ଦ ରହିଥିଲା । ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟିଦେଇ ବିଦ୍ୟାଳୟର ଶିକ୍ଷକ ସଂଖ୍ୟା ବୃଦ୍ଧି ଓ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta