
ସମ୍ବଲପୁର, ୨୦ ଅଗଷ୍ଟ (ହି.ସ.)- ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆବେଦନ ପ୍ରକ୍ରିୟା ଏବଂ ଏହାର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ୟ ପର୍ଯ୍ୟାୟରେ ଅଯୋଧ୍ୟା-ବାରାଣସୀ ଏବଂ ନଭେମ୍ବର ୨୭ ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ୮ମ ପର୍ଯ୍ୟାୟରେ ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରା ଅନୁଷ୍ଠିତ ହେବ। ଏହି ଯୋଜନାରେ ପ୍ରତ୍ୟେକ ଯାତ୍ରା ପାଇଁ ଜିଲ୍ଲା କୋଟା ୮୯ ରଖାଯାଇଛି।
ଏହି ତୀର୍ଥଯାତ୍ରା ନିମନ୍ତେ ଜିଲ୍ଲାରୁ ସମୁଦାୟ ୪୦୨ଟି ଆବେଦନ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୧ଟି ନାକଚ କରାଯାଇଛି। ଅନୁମୋଦିତ ହୋଇଥିବା ଆବେଦନଗୁଡ଼ିକ ମଧ୍ୟରେ ୨୫୭ଟି ଏକକ ଆବେଦନ ରହିଛି (ଯେଉଁଥିରେ ଅନଲାଇନ୍ ମାଧ୍ୟମରେ ୧୩୭ ଏବଂ ଅଫଲାଇନ୍ ମାଧ୍ୟମରେ ୧୨୦ଟି ଆବେଦନ ଆସିଛି) ଏବଂ ୧୨୪ଟି ଯୁଗଳ ଆବେଦନ ରହିଛି (ଯେଉଁଥିରେ ଅନଲାଇନ୍ ମାଧ୍ୟମରେ ୬୫ ଏବଂ ଅଫଲାଇନ୍ ମାଧ୍ୟମରେ ୫୯ଟି ଆବେଦନ ଆସିଛି)। ମୋଟ ଉପରେ ଦେଖିବାକୁ ଗଲେ, ସର୍ବମୋଟ ୩୮୧ଟି ଆବେଦନ (ଯେଉଁଥିରେ ସମୁଦାୟ ୫୦୫ ଜଣ ବ୍ୟକ୍ତି ବିଶେଷ ଅନ୍ତର୍ଭୁକ୍ତ) ଇ-ରାଣ୍ଡୋମାଇଜେସନ୍ ପ୍ରକ୍ରିୟା ପାଇଁ ଅନୁମୋଦନ ଲାଭ କରିଛନ୍ତି।
ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ୩ୟ ଟ୍ରିପ୍ (ଅଯୋଧ୍ୟା-ବାରାଣସୀ) ନିମନ୍ତେ ଇ- ରାଣ୍ଡୋମାଇଜେସନ୍ ପ୍ରକ୍ରିୟା କରାଯିବ। ଏହି ପ୍ରକ୍ରିୟା ମାଧ୍ୟମରେ ଜିଲ୍ଲା କୋଟା ଅନୁଯାୟୀ ନିର୍ଦ୍ଧାରିତ ୮୯ ଜଣ ହିତାଧିକାରୀଙ୍କୁ ଚୟନ କରାଯିବା ସହିତ ଅତିରିକ୍ତ ୨୦ ପ୍ରତିଶତ ଆବେଦନକାରୀଙ୍କୁ ନେଇ ଏକ ଅପେକ୍ଷା ତାଲିକା ପ୍ରସ୍ତୁତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ