
ଭୁବନେଶ୍ୱର, ୨୦ ଅଗଷ୍ଟ (ହି.ସ.) : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ରେ କାର୍ଯ୍ୟରତ ବ୍ଲକ୍ ପ୍ରୋଗ୍ରାମ୍ ମ୍ୟାନେଜର (ଏନ୍ଏଚ୍ଏମ୍) ମନୋଜ ରଞ୍ଜନ ନାୟକ ଜଣେ ଆଶାକର୍ମୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ଧରାପଡ଼ିଛନ୍ତି।
ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ସିଏଚ୍ସି ଅଧୀନରେ କାର୍ଯ୍ୟରତ ଜଣେ ଆଶାକର୍ମୀଙ୍କୁ ଆଧାର କାର୍ଡରେ ଥିବା ଜନ୍ମତାରିଖ ଆଧାରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବସର ଦେବାର ଧମକ ଦେଇ ଅଭିଯୁକ୍ତ ଅଧିକାରୀ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
ଆଶାକର୍ମୀଙ୍କ ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍ରେ ତାଙ୍କ ଜନ୍ମତାରିଖ ୧୭ ମେ ୧୯୬୬ ଦର୍ଶାଯାଇଛି। ନିଯୁକ୍ତି ସମୟରେ ସେ ଏହି ପ୍ରମାଣପତ୍ର ଦାଖଲ କରିଥିଲେ। ଏହି ଜନ୍ମତାରିଖ ଅନୁସାରେ ତାଙ୍କର ଆଉ ପ୍ରାୟ ଦୁଇ ବର୍ଷର ସେବାକାଳ ବାକି ଥିଲା। ତେବେ ପରବର୍ତ୍ତୀ ସମୟରେ ଜାରି ହୋଇଥିବା ଆଧାର କାର୍ଡରେ ଥିବା ଜନ୍ମତାରିଖର ତ୍ରୁଟିକୁ ଆଧାର କରି ଲାଞ୍ଚ ନଦେଲେ ତାଙ୍କ ସେବା ଆଗୁଆ ଶେଷ କରିଦେବାକୁ ନାୟକ ଧମକ ଦେଇଥିବା ଅଭିଯୋଗ ରହିଛି।
ହଇରାଣ ଓ ଧମକରେ ଅତିଷ୍ଠ ହୋଇ ଆଶାକର୍ମୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ଯାଞ୍ଚ ପରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଗୁରୁବାର ଅଭିଯୁକ୍ତ ମନୋଜ ରଞ୍ଜନ ନାୟକ ଅଭିଯୋଗକାରୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ। ତାଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଟ୍ରାପ୍ ଅଭିଯାନ ପରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଦିଗରୁ ନାୟକଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଚାଲିଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନା କେସ୍ ନମ୍ବର ୩୧, ତାରିଖ ୧୯ ଅଗଷ୍ଟ ୨୦୨୬ ରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମନୋଜ ରଞ୍ଜନ ନାୟକଙ୍କ ବିରୋଧରେ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ