ଝାରସୁଗୁଡ଼ାରୁ ପୁଣି ଆକାଶପଥରେ ଯୋଡ଼ିବ ଭୁବନେଶ୍ୱର-ହାଇଦ୍ରାବାଦ
Again jharsuguda will connect with BBSR and Hyderabad
Again jharsuguda will connect with


ଝାରସୁଗୁଡ଼ା, 21 ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ଥଗିତ ରହିଥିବା ଷ୍ଟାର ଏୟାର ବିମାନ ସେବା ପୁନର୍ବାର ଆରମ୍ଭ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।

ବିଶେଷକରି ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ଚାଲୁଥିବା ଷ୍ଟାର ଏୟାରର ସିଧାସଳଖ ବିମାନ ସେବା ବନ୍ଦ ହୋଇଯିବାରୁ ଯାତ୍ରୀମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିମାନ ଯୋଗାଯୋଗ ପଶ୍ଚିମ ଓଡ଼ିଶାର ବ୍ୟବସାୟ, ଶିକ୍ଷା, ଚିକିତ୍ସା, ନିଯୁକ୍ତି ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଥିଲେ।

ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସକାରାତ୍ମକ ମନୋଭାବ ପ୍ରକାଶ କରିବା ସହ ଖୁବ୍ଶୀଘ୍ର ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ସେବା ପୁନରାରମ୍ଭ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି।

ବିମାନ ସେବା ପୁନର୍ବାର ଚାଲୁ ହେଲେ ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ଯାତାୟାତ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ। ଏଥିସହ ଅଞ୍ଚଳର ବ୍ୟବସାୟିକ ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ଏହା ନୂଆ ଗତି ଦେବ ବୋଲି ବିଧାୟକ ତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande