
ଭଦ୍ରକ, ୨୧ ଅଗଷ୍ଟ (ହି.ସ.)- ୪୦ ଫୁଟ୍ ଲମ୍ବର ଘାଇ ୨ ଦିନରେ ବୃଦ୍ଧି ପାଇ ୧୦୦ ଫୁଟ୍ ରେ ପହଂଚିଲାଣି । ନାଳିଆ ନଦୀର ପ୍ରଖର ସ୍ରୋତରେ ଘାଇ କ୍ରମଶଃ ବଢି ଚାଲିଛି । ଯାହାକୁ ନେଇ ଭଦ୍ରକ ଜିଲ୍ଲା ତଳଗୋପବିନ୍ଧା ପଂଚାୟତବାସୀ ଚିନ୍ତାରେ ରହିଛନ୍ତି । ଘାଇ ମରାମତି ପାଇଁ ଜଳ ସମ୍ପଦ ବିଭାଗର ଏସଡିପିଓ, ଏସଡିଓ ଓ ଯନ୍ତ୍ରୀଙ୍କ ତତ୍ପରତା ଦେଖିବାକୁ ମିଳିଛି । ଘାଇ ସ୍ଥାନରେ ବାଉଁଶ ବଦଳରେ ଲୁହା ବିମ୍ ଏବଂ ପାଇପ୍ ପୋତାଯାଇ ଟିଣ ପ୍ଲେଟ୍ ଲଗାଇ ମରାମତି କାର୍ଯ୍ୟ ଜାରି ରହିଛି ।
ଅନ୍ୟପଟେ ସାଳନ୍ଦୀ ଜଳସେଚନ ବିଭାଗର ନୋଟିସ୍ ପରେ ହଦଗଡ଼ ଡ୍ୟାମ୍ ରୁ ଜଳ ନିଷ୍କାସନ ସାମୟିକ ଭାବେ ବନ୍ଦ କରାଯାଇଛି । ଦୁର୍ଗାପୁର ଏସକେପ୍ ରୁ ନାଳିଆ ନଦୀକୁ ପାଣି ଛାଡିବା ମଧ୍ୟ ବନ୍ଦ ରହିଛି । ତଥାପି ନାଳିଆ ନଦୀର ବନ୍ୟା ପାଣିରେ ତଳଗୋପବିନ୍ଧା ପଂଚାୟତର ପ୍ରାୟ ୨୦ଟି ଗ୍ରାମ ପାଣିଘେରରେ ରହିଛି । ତିଆଡ଼ି ସାହି, ମଳିକ ସାହି, ମତଗଜପୁର, ବେହେରା ସାହି, ଜେନା ସାହି, କହୁଣିଆକୂଳ, ତାଳପଦା, ଖଟୁଆ ସାହି, ସାମଲ ସାହି, ମକଦମ ସାହି, ପଦାସାହି, ମୀରପୁର ସମେତ ବିଭିନ୍ନ ଗ୍ରାମରେ ବନ୍ୟାପାଣି ପଶିଛି । ଘାଇ କ୍ରମଶଃ ବୃଦ୍ଧି ପାଉଥିବାରୁ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ