
ଜୟପୁର, ୨୧ ଅଗଷ୍ଟ (ହି.ସ.)- ସିପିଆଇ ବୋରିଗୁମ୍ମା ଆଞ୍ଚଳିକ କମିଟି ପକ୍ଷରୁ ମାଲଦା ଗ୍ରାମ ସଂରକ୍ଷିତ ଜଙ୍ଗଲ ସୁରକ୍ଷା ଦାବିରେ ଜୟପୁର ଉପଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଅଞ୍ଚଳ ବାସୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଧାରଣାରେ ବସିଥିଲେ। ଚାଷୀ ମାନଙ୍କ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନରେ ପାତର ଅନ୍ତର କରୁଛନ୍ତି। ସବୁଠୁ ଦୁଃଖଦାୟକ ଘଟଣା ହେଉଛି ସେହି ଗ୍ରାମରେ ଥିବା ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୁର୍ତ୍ତିକୁ ଅଳ୍ପ ଦିନ ତଳେ ରାତାରାତି ଭାଙ୍ଗି ପ୍ରତିମୁର୍ତ୍ତିଟିକୁ କୁଆଡ଼େ ଲୁଚେଇ ଦେଇଛନ୍ତି । ଏସବୁ ଆର୍ ଏମ୍ ସି ଜରିଆରେ ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ହେଉଛି । ସିପିଆଇ ପକ୍ଷରୁ ଦାବି ହୋଇଛି ଯେ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା ହେଉ ଏବଂ ସେ ଅଞ୍ଚଳର ଅନାବାଦୀ ସରକାରୀ ଜମିକୁ ଗରୀବ ଲୋକଙ୍କୁ ଦିଆଯାଉ । ଆଜିର ବିକ୍ଷୋଭରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, ଏଆଇଟିୟୂସି ଜିଲ୍ଲା ସଭାପତି ଯୁଧିଷ୍ଠିର ରାଉଳ, ସିପିଆଇ ଜିଲ୍ଲା ସମ୍ପାଦକ ରାମକୃଷ୍ଣ ଦାସ, ବୋରିଗୁମ୍ମା ଆଞ୍ଚଳିକ କମିଟି ସମ୍ପାଦକ ବୈଦ୍ୟନାଥ ଟାକ୍ରୀ, ଅନୀତା ନାଏକ, ଲକ୍ଷ୍ମୀ ଭତରା, ଡମ୍ବରୁ ଭତରା ପ୍ରମୁଖ ନେତୃତ୍ୱ ନେଇଥିଲେ। ଉପଜିଲ୍ଲାପାଳ ଆଜି ମାଲଦା ଗ୍ରାମକୁ ଯାଇ ପରିଦର୍ଶନ କରିବା ସମୟରେ ବରିଷ୍ଠ ନେତା ଯୁଧିଷ୍ଠିର ରାଉଳ ତାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ। ଆନ୍ଦୋଳନ ସ୍ଥଳକୁ ଆସି ରେଭେନ୍ୟୁ ଅଧିକାରୀ ଦାବିପତ୍ର ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି