

ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଦାଦନ ଶ୍ରମିକ ଭାବେ ସୁଦୂର ସିକିନ୍ଦରାବାଦ ଯାଇଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ବରୁଣ ମାଝି ନିଖୋଜ ହୋଇଥିବା ନେଇ ତାଙ୍କ ସ୍ତ୍ରୀ ବିଲାସିନୀ ମାଝି ଚିନ୍ତା ପ୍ରକଟ କରିଛନ୍ତି। ସ୍ୱାମୀଙ୍କ ଖୋଜଖବର ମିଳୁନଥିବାରୁ ଶେଷରେ ସେ ଖଡ଼ିଆଳ ପୋଲିସର ସହଯୋଗ ଲୋଡ଼ିଛନ୍ତି।
ସୂଚନା ଅନୁଯାୟୀ, ବରୁଣ ଗତ ଜୁଲାଇ ୨୬ ତାରିଖରେ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ସିକିନ୍ଦରାବାଦ ଯାଇଥିଲେ। ତେବେ ଅଗଷ୍ଟ ୧୭ ତାରିଖରେ ସେ ଫୋନ୍ ଯୋଗେ ନିଜ ସ୍ତ୍ରୀଙ୍କୁ ଘରକୁ ଫେରୁଥିବା ଜଣାଇଥିଲେ। ଏହାପରେ ସେ ଘରେ ପହଞ୍ଚିନଥିବା ବେଳେ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ସ୍ୱିଚ୍ ଅଫ୍ ହୋଇଯାଇଛି। ଦୀର୍ଘ ସମୟ ଧରି ସ୍ୱାମୀଙ୍କ କୌଣସି ଖୋଜଖବର ନମିଳିବାରୁ ବିଲାସିନୀ ଚିନ୍ତିତ ହୋଇ ପଡ଼ିଛନ୍ତି। ନିଖୋଜ ବରୁଣ ମାଝିଙ୍କୁ ତୁରନ୍ତ ଖୋଜି ବାହାର କରିବା ସହ ଘଟଣାର ତଦନ୍ତ କରି ଆବଶ୍ୟକ ସହଯୋଗ କରିବାକୁ ସେ ଖଡ଼ିଆଳ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ