ଜିଲ୍ଲାସ୍ତରୀୟ ଏଡ୍ସ କୁଇଜ୍ ପ୍ରତିଯୋଗିତା
ସୁବର୍ଣ୍ଣପୁର, ୨୧ ଅଗଷ୍ଟ(ହି.ସ.) – ଏଚ୍ଆଇଭି/ଏଡ୍ସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ ସୋନପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏଡ୍ସ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୬ ଗୋଟି ବ୍ଲକ୍ରୁ ମୋଟ ୧୨ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ସ
ଜିଲ୍ଲାସ୍ତରୀୟ ଏଡ୍ସ୍ କୁଇଜ୍ ପ୍ରତିଯୋଗିତା


ସୁବର୍ଣ୍ଣପୁର, ୨୧ ଅଗଷ୍ଟ(ହି.ସ.) – ଏଚ୍ଆଇଭି/ଏଡ୍ସ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ ସୋନପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏଡ୍ସ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୬ ଗୋଟି ବ୍ଲକ୍ରୁ ମୋଟ ୧୨ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ଦାଶ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ସୋନପୁର ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଏଡ୍ସର ପ୍ରତିରୋଧ, ସଚେତନତା ଓ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମାଜର ସକାରାତ୍ମକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଜେଆର୍ସିଓ ଚନ୍ଦ୍ରମଣି ବାଘ ଏବଂ ସିନିୟର ଆର୍ପି ଚନ୍ଦ୍ରଶେଖର ମହାପାତ୍ର ଉପସ୍ଥିତ ରହିଥିଲେ। ଡିଏଚ୍ଏଚ୍, ସୋନପୁରସ୍ଥିତ ଆଇସିଟିସିର ଜିଲ୍ଲା ଆଇସିଟିସି ସୁପରଭାଇଜର ସୁଦାମ ପଧାନ ଏବଂ ଡିଏସ୍ଆର୍ସି କାଉନସେଲର ସନ୍ତୋଷ କୁମାର ସାହୁଙ୍କ ସମେତ ବିଭିନ୍ନ କାଉନସେଲର ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ଏଚ୍ଆଇଭି/ଏଡ୍ସର କାରଣ, ସଂକ୍ରମଣର ମାଧ୍ୟମ, ପ୍ରତିରୋଧ ବ୍ୟବସ୍ଥା, ଚିକିତ୍ସା ଓ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉପରେ ପ୍ରତିଯୋଗୀମାନଙ୍କ ଜ୍ଞାନ ପରୀକ୍ଷା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରଶ୍ନଗୁଡ଼ିକର ଉତର ଦେଇଥିଲେ। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପିଏମ୍ଶ୍ରୀ ହାଇସ୍କୁଲ, ସୁବଳୟାର ଛାତ୍ରୀ ପ୍ରିୟାଂଶୀ ମିଶ୍ର ଏବଂ ସିଙ୍ଗାରୀ ହାଇସ୍କୁଲର ଛାତ୍ରୀ ସଂଚିତା ସାହୁ ରାଜ୍ୟସ୍ତରୀୟ ଏଡସ୍ କୁଇଜ୍ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଦୁଇ ଛାତ୍ରୀଙ୍କ ସଫଳତା ପାଇଁ ଉପସ୍ଥିତ ଅତିଥି, ଶିକ୍ଷକ ଓ ଆୟୋଜକମାନେ ଶୁଭେଚ୍ଛା ଜଣାଇଥିଲେ। ସଭାର ସଂଯୋଜନା ଓ ପରିଚାଳନା କାଉନସେଲର ଜଗଦୀଶ ଦାଶ କରିଥିବାବେଳେ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମନରେ ଏଚ୍ଆଇଭି/ଏଡସ୍ ସମ୍ପର୍କରେ ସଠିକ୍ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା ସହ ସମାଜକୁ ଏକ ସକାରାତ୍ମକ ବାର୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande