
ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.)- ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏକ ଜିଲ୍ଲାସ୍ତରୀୟ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଝାରସୁଗୁଡ଼ା ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ଆର୍ଥିକ ନିରାପତ୍ତା ଏବଂ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ନାଗେଶ୍ୱର ମୁର୍ମୁ ଚିଟଫଣ୍ଡର କୁପ୍ରଭାବ ଓ ଅପକାରିତା ସମ୍ପର୍କରେ ସଚେତନ କରାଇଥିବା ବେଳେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ହରିଶ ସଜନାପ୍ପୁ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ ଏବଂ ଏଥିରୁ ସୁରକ୍ଷିତ ରହିବାର ଉପାୟ ବୁଝାଇଥିଲେ।
ସେହିପରି ସମ୍ବଲପୁର ଶାଖା ଅଧିକାରୀ ମୁକୁନ୍ଦ ସାହୁ ବିଭିନ୍ନ ବୀମା ଯୋଜନା ଏବଂ ସୁମିତ ପ୍ରମାଣିକ 'ଅଟଳ ପେନସନ ଯୋଜନା'ର ଉପକାରିତା ସମ୍ପର୍କରେ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଡାକଘର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ଆଲୋଚନା କରିଥିଲେ। ଓଏଲଏମ ଡିପିଏମ ପୁଷ୍ପଶ୍ରୀ ନାୟକ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ ଉପସ୍ଥିତ ମହିଳାମାନଙ୍କୁ ସଞ୍ଚୟ ଏବଂ ବୀମାକୁ ଜୀବନର ନିୟମିତ ଅଭ୍ୟାସରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।
ପରିଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ କର୍ମଚାରୀ ହେମକାନ୍ତ ବାଗ ଓ ଜଗନ୍ନାଥ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ