
ବଲାଙ୍ଗୀର, ୨୧ ଅଗଷ୍ଟ(ହି.ସ.) – ମୁଣ୍ଡ ବିହୀନ ଶବ ପୋଖରୀରୁ ଉଦ୍ଧାର, କଟା ମୁଣ୍ଡ ଓ ବ୍ୟବହୃତ ଅସ୍ତ୍ର ଜବତ ହତ୍ୟାକାରୀ ଗିରଫ ଆଜି କୋର୍ଟ ଚଲାଣ। ଅଭିଯୋଗକାରୀ କପିଳ ବାଗ ଜଣାଇଥିଲେ ଯେ ତାଙ୍କ ଭିଣୋଇ ସନ୍ତୋଷ ଖରସେଲ(ଯିଏ ତୁସୁରା ଥାନା ଅନ୍ତର୍ଗତ ଟେପ୍ରାମୁଣ୍ଡା ଗ୍ରାମର ବାସିନ୍ଦା) ୧୮.୦୮.୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘରୁ ବାହାରି ଆଉ ଫେରି ନଥିଲେ। ଖୋଜାଖୋଜି ସମୟରେ ଜଣାପଡ଼ିଥିଲା ଯେ ତାଙ୍କୁ ଦେଓଗାଁ ଥାନା ଅନ୍ତର୍ଗତ ବାଗଡ଼ା ଗ୍ରାମର ବାସିନ୍ଦା ଶତ୍ରୁଘ୍ନ ସାହୁଙ୍କ ସହ ଦେଖାଯାଇଥିଲା। ୨୦.୦୮.୨୦୨୬ ତାରିଖରେ ଖବର ମିଳିଥିଲା ଯେ ବାଗଡ଼ା ଗ୍ରାମର ଏକ ଜଳାଧାର (ୱାଟର ଟ୍ୟାଙ୍କ୍) ନିକଟସ୍ଥ ପୋଖରୀରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଭାସୁଛି। ପରବର୍ତୀ ସମୟରେ ମୃତଦେହଟି ସନ୍ତୋଷ ଖରସେଲଙ୍କର ବୋଲି ଚିହ୍ନଟ କରାଯାଇଥିଲା। ମୃତଦେହର ମୁଣ୍ଡ ନଥିବାରୁ ହତ୍ୟାକାଣ୍ଡ ଏବଂ ପ୍ରମାଣ ନଷ୍ଟ କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।
ଏହି ରିପୋର୍ଟ ଆଧାରରେ, ଦେଓଗାଁ ଥାନାରେ ମାମଲା ନଂ ୧୬୧(ତାରିଖ ୨୦.୦୮.୨୦୨୬) ବିଏନ୍ଏସ୍ର ଧାରା ୧୦୩(୧)/୨୩୮ ଅନୁଯାୟୀ ପଞ୍ଜୀକୃତ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ପାଇଁ ବୈଜ୍ଞାନିକ ଦଳର ସହାୟତା ନିଆଯାଇଥିଲା। ଅପରାଧରେ ବ୍ୟବହୃତ ଅସ୍ତ୍ରକୁ ଜବତ କରାଯାଇଛି।
ତଦନ୍ତରୁ ପ୍ରାଥମିକ ଭାବେ ଜଣାପଡ଼ିଛି ଯେ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ ୧୮.୦୮.୨୦୨୬ ତାରିଖରେ ମୃତକ ସନ୍ତୋଷ ଖରସେଲଙ୍କୁ ଭେଟିଥିଲେ ଏବଂ ତା’ପରେ ତାଙ୍କୁ ନିଜ ଘରକୁ ନେଇଯାଇଥିଲେ। ରାତି ସମୟରେ ଅଭିଯୁକ୍ତ ଏକ ଲୁହା କାଟାରି ସାହାଯ୍ୟରେ ସନ୍ତୋଷ ଖରସେଲଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ ଏବଂ ପରେ ମୁଣ୍ଡବିହୀନ ମୃତଦେହକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। କଟା ମୁଣ୍ଡକୁ ସେ ନିଜ ଘର ଭିତରେ ଥିବା ଏକ ଗାତରେ ପୋତି ଲୁଚାଇ ରଖିଥିଲେ। କଟା ମୁଣ୍ଡ ଏବଂ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ଶତ୍ରୁଘ୍ନ ସାହୁ(୪୦), ପିତା- ସ୍ୱର୍ଗତ ବାନା ସାହୁ, ଗ୍ରାମ- ବାଗ ଠାରୁ ଆକ୍ରମଣରେ ବ୍ୟବହୃତ ଅସ୍ତ୍ର, ଅର୍ଥାତ୍ ଲୁହା କାଟାରି ଜବତ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ