ଏକଲବ୍ୟ ସ୍କୁଲ ଜିଲ୍ଲାସ୍ତରୀୟ କମିଟି ବୈଠକ
ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମ୍ଆର୍ଏସ୍)ର ଜିଲ୍ଲାସ୍ତରୀୟ କମିଟି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ବୈଠକ ପ୍ରାରମ୍ଭରେ ଇଏମ୍ଆର୍ଏସ ର ଅଧ୍ୟକ୍ଷ ସି. କୃଷ୍ଣମୂର୍ତ୍ତି ନାଇଡୁ ସମସ୍ତ
Ekalavya school meeting


ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (ଇଏମ୍ଆର୍ଏସ୍)ର ଜିଲ୍ଲାସ୍ତରୀୟ କମିଟି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିl ବୈଠକ ପ୍ରାରମ୍ଭରେ ଇଏମ୍ଆର୍ଏସ ର ଅଧ୍ୟକ୍ଷ ସି. କୃଷ୍ଣମୂର୍ତ୍ତି ନାଇଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ଓ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ଅବଗତ କରାଇଥିଲେ। ବୈଠକରେ ବିଦ୍ୟାଳୟର ଭିତ୍ତିଭୂମି ଓ ଆବାସିକ ବ୍ୟବସ୍ଥାର ସୁଧାର ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଖେଳ ପଡ଼ିଆର ବିକାଶ, ସେପ୍ଟିକ୍ ଟ୍ୟାଙ୍କ୍ର ନିୟମିତ ସଫେଇ, ବିଦ୍ୟାଳୟ ଆପ୍ରୋଚ୍ ରୋଡ୍ର ମରାମତି, ବିଦ୍ୟୁତ୍ ବ୍ୟବସ୍ଥାର ଉନ୍ନତି ଏବଂ ବିଦ୍ୟାଳୟର ରଙ୍ଗଦେବା ଆଦି ବିଷୟ ଆଲୋଚନା ହୋଇଥିଲା। କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତି ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଶିକ୍ଷାର ମାନ ଉନ୍ନତି ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଭଲ ଫଳାଫଳ ପାଇଁ ନିୟମିତ ଶିକ୍ଷାଗତ ମୂଲ୍ୟାୟନ, ସାପ୍ତାହିକ ପରୀକ୍ଷା ଆୟୋଜନ ଓ ପାଠପଢ଼ାର ଅଗ୍ରଗତି ଉପରେ ନିୟମିତ ନଜର ରଖିବାକୁ ସେ କହିଥିଲେ। ଏଥିସହ ହଷ୍ଟେଲ୍ଗୁଡ଼ିକର ନିୟମିତ ଯାଞ୍ଚ ଏବଂ ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଶିକ୍ଷାଦାନର ମାନ ମୂଲ୍ୟାୟନ କରିବାକୁ ପରାମର୍ଶ ଦେଇଥିଲେ।

ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହିତ ସ୍ୱଚ୍ଛ, ସୁରକ୍ଷିତ ଓ ସୁସ୍ଥ ଆବାସିକ ପରିବେଶ ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ଶିକ୍ଷା, ହଷ୍ଟେଲ୍ ଓ ଅନ୍ୟାନ୍ୟ ବ୍ୟବସ୍ଥାର ନିୟମିତ ତଦାରଖ କରି ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଉମାକାନ୍ତ ମେହେର, ଜିଲ୍ଲା ମଙ୍ଗଳ ଅଧିକାରୀ କାଳୀକିଙ୍କର ବିଶ୍ୱାଳ, ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ନୂଆପଡ଼ା ଏନ୍ଏସିର ଇଓ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande