
ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ନିର୍ଦ୍ଦେଶକ୍ରମେ ବ୍ରଜରାଜନଗର ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଆଇନ ଉଲ୍ଲଙ୍ଘନ ଏବଂ ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର ବିରୁଦ୍ଧରେ ଏକ ବ୍ୟାପକ ମିଳିତ ଚଢ଼ଉ ହୋଇଛି। ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁଙ୍କ ନେତୃତ୍ୱରେ ପୌରପାଳିକା ଟିମ୍, ଖାଦ୍ୟ ସୁରକ୍ଷା ଅଧିକାରୀ କୁନ୍ଦନ ଲୋହାର, ପୋଲିସ ଉପ-ନିରୀକ୍ଷକ ପ୍ରଦୀପ କୁମାର ସାହୁ, ଅଫିସ ସହାୟକ ଯାଦବ ଦେହେରୀ ଏବଂ ପୌର କର୍ମଚାରୀମାନେ ଏହି ଏନଫୋର୍ସମେଣ୍ଟ ଡ୍ରାଇଭ୍ ରେ ସାମିଲ ହୋଇଥିଲେ।
ଗତକାଲି ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବ୍ରଜରାଜନଗରରୁ ଗାନ୍ଧୀ ଛକ ମଧ୍ୟରେ ଥିବା ପ୍ରାୟ ୨୫ଟି ହୋଟେଲ, ଢାବା, କାଫେ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଷ୍ଟଲ୍ ଓ ଜଳଖିଆ ଦୋକାନ ବ୍ୟାପକ ଯାଞ୍ଚ କରାଯାଇଥିଲା। ଖାଦ୍ୟ ନିରାପତ୍ତା ଏବଂ ମାନକ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୭,୦୦୦ ଟଙ୍କା ଏବଂ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ବାବଦରେ ୬,୨୦୦ ଟଙ୍କା ସମେତ ମୋଟ ୨୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଚଢ଼ାଉ ବେଳେ ପ୍ରାୟ ୧୫ କିଲୋଗ୍ରାମ ଅସ୍ୱାସ୍ଥ୍ୟକର ତଥା ବାସି ଖାଦ୍ୟ ଜବତ କରି ନଷ୍ଟ କରାଯାଇଥିଲା। ଏହା ସହିତ ପରୀକ୍ଷାଗାର ବିଶ୍ଳେଷଣ ପାଇଁ ୬ଟି ପାନୀୟ ଜଳ ନମୁନା ଏବଂ ୩ଟି ପନିର ନମୁନା ସଂଗ୍ରହ କରାଯାଇଛି। ସ୍ୱଚ୍ଛତା ବଜାୟ ରଖିବା ଏବଂ ଏଫ୍ ଏସ ଏସ ଇନର 'ସିଡ୍ୟୁଲ-୪' ନିୟମାବଳୀ ପାଳନ କରିବା ପାଇଁ ୩ଟି ଖାଦ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ଇମ୍ପ୍ରୁଭମେଣ୍ଟ ନୋଟିସ୍ ଜାରି କରାଯାଇଛି। ଅନ୍ୟପକ୍ଷରେ, ପରିବେଶ ସୁରକ୍ଷା ଦୃଷ୍ଟିରୁ ବେଆଇନ ଭାବେ ବ୍ୟବହୃତ ହେଉଥିବା ପ୍ରାୟ ୧୬ରୁ ୨୫ କିଲୋଗ୍ରାମ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ଜବତ କରି ନଷ୍ଟ କରାଯାଇଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଆଗାମୀ ଦିନରେ ଏହିପରି ଆକସ୍ମିକ ଚଢ଼ଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ