
କେନ୍ଦୁଝର, ୨୧ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତାବିତ ବାର୍ଷିକ ୫ ମିଲିୟନ ଟନ ଉତ୍ପାଦନକ୍ଷମ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇଛି। ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସମସ୍ତ ୧୨ଟି ଗ୍ରାମରେ ଗ୍ରାମସଭା ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି।
ଆଜି ଯମୁନାପୋଷୀ ଗ୍ରାମପଂଚାୟତ ଅନ୍ତର୍ଗତ ଯମୁନାପୋଷୀ ଗ୍ରାମରେ ଆୟୋଜିତ ଗ୍ରାମସଭା ସହିତ ଅନ୍ୟ ସମସ୍ତ ଗ୍ରାମଗୁଡ଼ିକରେ ଏହି ପ୍ରକ୍ରିୟା ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଛି।
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକରଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନର ସହଯୋଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ଦ୍ରୁତ, ସମନ୍ୱିତ ଏବଂ ବ୍ୟାପକ ପ୍ରୟାସ ଯୋଗୁଁ ଏହି ସଫଳତା ମିଳିଛି। ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟାକୁ ସୁଗମ କରାଯାଇଥିଲା। ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକ, ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ ଦଣ୍ଡପାଟ, ସ୍ୱତନ୍ତ୍ର ଭୂ-ଅର୍ଜନ ସେଲର ଅଧିକାରୀ ରଞ୍ଜିତ କୁମାର ଦାଶ, ତ୍ରିଭୁବନ ଦାସ, ପ୍ରଦ୍ୟୁମ୍ନ କୁମାର ଜେନା ଓ ଅନ୍ୟ ରାଜସ୍ୱ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ବୈଧାନିକ ଗ୍ରାମସଭା ପ୍ରକ୍ରିୟା ଶୃଙ୍ଖଳିତ ଓ ସଫଳତାର ସହ ସମାପ୍ତ ହୋଇପାରିଛି।
ଗ୍ରାମସଭା ପ୍ରକ୍ରିୟାର ସମାପ୍ତି ପ୍ରସ୍ତାବିତ ଇସ୍ପାତ କାରଖାନାକୁ ଆଗକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହୋଇଛି, ଯାହା ଜିଲ୍ଲାରେ ଶିଳ୍ପାୟନ, ନିଯୁକ୍ତି ସୁଯୋଗ ସୃଷ୍ଟି, ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ସାମଗ୍ରିକ ବିକାଶକୁ ବେଗବାନ କରିବ ବୋଲି ଆଶା କରାଯାଉଛି। ଆବଶ୍ୟକ ବୈଧାନିକ ଏବଂ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ, ଏହି ପ୍ରକଳ୍ପ କେନ୍ଦୁଝର ପାଇଁ ଶିଳ୍ପ ଅଭିବୃଦ୍ଧି ଏବଂ ନୂତନ ସୁଯୋଗର ଏକ ପ୍ରତୀକ ସାଜିବ।
ଗ୍ରାମସଭା ପ୍ରକ୍ରିୟା ଶେଷ ହେବା ପରେ, ଜମି ଅଧିଗ୍ରହଣ, ପୁନର୍ବାସ ଓ ସ୍ଥାନାନ୍ତରଣ କ୍ଷେତ୍ରରେ ନ୍ୟାୟୋଚିତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ଅଧିକାର ଅଧିନିୟମ, ୨୦୧୩ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ପରବର୍ତୀ ଆଇନଗତ ପଦକ୍ଷେପ ଆରମ୍ଭ କରାଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଧାରା ୪(୧) ଅନୁଯାୟୀ ଆବଶ୍ୟକୀୟ ବିଜ୍ଞପ୍ତି ପ୍ରକାଶ ପାଇବ , ଯାହା ପରେ ସାମାଜିକ ପ୍ରଭାବ ଆକଳନ ଅନୁଧ୍ୟାନ ଏବଂ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅନ୍ୟାନ୍ୟ ବୈଧାନିକ ପ୍ରକ୍ରିୟା ଆରମ୍ଭ କରାଯିବ।
ସମସ୍ତ ୧୨ଟି ଗ୍ରାମରେ ଗ୍ରାମସଭାର ସଫଳ ସମାପ୍ତି କେନ୍ଦୁଝର ଜିଲ୍ଲା ପ୍ରଶାସନର ସକ୍ରିୟ, ସମୟବଦ୍ଧ ଏବଂ ଫଳାଫଳ-ଆଧାରିତ ଆଭିମୁଖ୍ୟର ପ୍ରମାଣ ଦେଉଛି। ଏହା ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପକୁ ନୂତନ ଗତି ପ୍ରଦାନ କରିବା ସହ ସ୍ଥାୟୀ ଶିଳ୍ପ ଏବଂ ଆର୍ôଥକ ଅଭିବୃଦ୍ଧି ଆଡ଼କୁ ଜିଲ୍ଲାର ଯାତ୍ରାକୁ ଅଧିକ ମଜବୁତ କରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA