



ସମ୍ବଲପୁର, ୨୧, ଅଗଷ୍ଟ (ହି.ସ.) - ଆଜି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏନଫୋର୍ସମେଂଟ ଅଫିସର ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏସ୍ଏମସି ନିର୍ମଳ ଟିମ୍ ଦ୍ୱାରା କ୍ଷେତରାଜପୁର ମୁଖ୍ୟ ରାସ୍ତାରେ ବ୍ୟାପକ ଉଚ୍ଛେଦ ଓ ସଫେଇ ଅଭିଯାନ କରାଯାଇଛି। ଏହି ଅଭିଯାନ ସମୟରେ ସାଧାରଣ ଯାତାୟାତ ଓ ଜନସାଧାରଣଙ୍କ ଚଳାଚଳରେ ବାଧା ସୃଷ୍ଟି କରୁଥିବା ବିଭିନ୍ନ କ୍ୟାବିନ୍, ଠେଲା, ହୋର୍ଡିଂ ଏବଂ ଅନଧିକୃତ ନିର୍ମାଣ ହଟାଯାଇ ରାସ୍ତାକୁ ଅବରୋଧମୁକ୍ତ କରାଯାଇଥିଲା। ଏହା ସହିତ ଏସ୍ଏମସି ସାନିଟେସନ୍ ଟିମ୍ ପକ୍ଷରୁ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍ ଗୁଡ଼ିକର ମଧ୍ୟ ସଫେଇ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଝୁଲି ରହିଥିବା କେବୁଲ୍ ଗୁଡ଼ିକୁ କେବୁଲ୍ ଅପରେଟରମାନଙ୍କ ଦ୍ୱାରା ଉଚିତ ଉଚ୍ଚତାରେ ବ୍ୟବସ୍ଥିତ କରାଯାଇଥିଲା। ଏହି ଅଭିଯାନରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଅନଧିକୃତ ବିଦ୍ୟୁତ୍ ସଂଯୋଗ ଗୁଡ଼ିକ ବିଚ୍ଛିନ୍ନ କରାଯାଇଥିବା ବେଳେ, ୱାଟକୋ ଟିମ୍ ପକ୍ଷରୁ ଡ୍ରେନ୍ର ଜଳ ପ୍ରବାହରେ ବାଧା ସୃଷ୍ଟି କରୁଥିବା କିଛି କିଛି ପାନୀୟଜଳ ପାଇପ୍ ଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା।
ଅଭିଯାନ ସମୟରେ ଅବୈଧ ଦେଶୀ ମଦର ପାଉଚ୍ କାରବାରର ସୁରାକ୍ ପାଇ ଅବକାରୀ ବିଭାଗ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଦୀର୍ଘ ବର୍ଷର ବ୍ୟବଧାନ ପରେ ସାଧାରଣ ଜନତାଙ୍କ ପାଇଁ ରାସ୍ତା, ଡ୍ରେନ୍ ଓ ସାର୍ବଜନୀନ ସ୍ଥାନକୁ ଅବରୋଧମୁକ୍ତ ଓ ସ୍ୱଚ୍ଛ ରଖିବା ଦିଗରେ ଏସ୍ଏମସି ପକ୍ଷରୁ ବର୍ତମାନର ଏଭଳି ମିଳିତ ଅଭିଯାନକୁ ଦେଖି ଆଗାମୀ ଦିନରେ କୌଣସି ବଡ଼ ଧରଣର ସରକାରୀ କାର୍ଯ୍ୟକ୍ରମ ହେବାର ଭ୍ରମ ମଧ୍ୟ ସୃଷ୍ଟି କରାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ