
ଭୁବନେଶ୍ୱର, ୨୧ ଅଗଷ୍ଟ (ହି.ସ.) - କଂଗ୍ରେସ ଭବନଠାରେ ଇଣ୍ଡିଆ ବ୍ଲକ୍ ର ବିଭିନ୍ନ ଦଳ—କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ୍) ଲିବରେସନ, ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ ପି ଏବଂ ଆର୍ ଜେ ଡି ର ରାଜ୍ୟ ନେତୃବୃନ୍ଦ ଏକତ୍ରିତ ହୋଇ ଏମ୍ ଏମ୍ ଡି ଆର୍ ଆଇନ–୨୦୨୬କୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଛନ୍ତି। ଏମ୍.ଏମ୍.ଡି.ଆର୍ ଆଇନ–୨୦୨୬ ରଦ୍ଦ ଦାବିରେ ଆସନ୍ତା ୨୫ ଅଗଷ୍ଟରେ ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ୨୩ ଅଗଷ୍ଟରେ ଜିଲ୍ଲାସ୍ତରୀୟ ମିଳିତ ବୈଠକ ଏବଂ ୨୪ ଅଗଷ୍ଟରେ ରାଜ୍ୟବ୍ୟାପୀ ଜନଜାଗରଣ ଅଭିଯାନ କରାଯିବ। ଏଥିସହିତ ଏମ୍.ଏମ୍.ଡି.ଆର୍ ଆଇନ–୨୦୨୬ର ଓଡ଼ିଶା ଉପରେ ପଡ଼ିବାକୁ ଥିବା ଭୟଙ୍କର ପ୍ରଭାବ ନେଇ ଆଲୋଚନା କରିବା ସହ ଏହାର ରଦ୍ଦ ଦାବିରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଓ ସର୍ବଦଳୀୟ ବୈଠକ ଡାକିବା ପାଇଁ ଦାବି କରାଯିବ। ଆସନ୍ତା ୯ ସେପ୍ଟେମ୍ବରରେ ରାଜ୍ୟସ୍ତରୀୟ କନଭେନସନ୍ ଆୟୋଜନ କରାଯାଇ ସେଠାରେ ଓଡ଼ିଶା ବନ୍ଦ ଓ ଆର୍ôଥକ ଅବରୋଧ ଭଳି ପରବର୍ତୀ ଶକ୍ତିଶାଳୀ ଆନ୍ଦୋଳନମୂଳକ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦିଆଯିବ। ଏମ୍.ଏମ୍.ଡି.ଆ.ର୍ ଆଇନ–୨୦୨୬ ରଦ୍ଦ ନହେବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳଗୁଡ଼ିକ ଐକ୍ୟବଦ୍ଧ ଭାବେ ନିରନ୍ତର ଲଢ଼େଇ ଜାରି ରଖିବେ ବୋଲି ଘୋଷଣା କରାଯାଇଛି।
ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ମିଶ୍ର,ସିପିଆଇ(ଏମ୍ଏଲ୍) ଲିବରେସନ ରାଜ୍ୟ ନେତା ରାଧାକାନ୍ତ ସେଠୀ,ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର,ଏନ୍?ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ ଏବଂ ଆର୍ ଜେ ଡି ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ବିଧାୟକ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ଏବଂ ବାମପନ୍ଥୀ ନେତା ଆଶିଷ କାନୁନଗୋ,ବଦ୍ରୀ ନାରାୟଣ ଦାଶ ଏବଂ ମହେନ୍ଦ୍ର ପରିଡ଼ା ପ୍ରମୁଖ ବିଭିନ୍ନ ଦଳର ନେତାମାନେ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା