

ସମ୍ବଲପୁର, ୨୧, ଅଗଷ୍ଟ (ହି.ସ.) - ସମ୍ବଲପୁର ମହାନଦୀ ରିଭରଫ୍ରନଟ ଘାଟରୁ ଲୁହା ବ୍ୟାରିକେଡ୍ ଚୋରି ଅଭିଯୋଗରେ ଟାଉନ୍ ଥାନା ପୋଲିସ ୩ ଜଣଙ୍କୁ ଆଜି ଗିରଫ କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଅଗଷ୍ଟ ୧୯ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ସମ୍ବଲପୁର ମହାନଗର ନିଗମର ଏନଫୋର୍ସମେଂଟ ଅଫିସର ତଥା ସାନିଟେସନ୍ ନୋଡାଲ ଅଫିସର ସୁଶାନ୍ତ କୁମାର ସାହୁ ମହାନଦୀ ରିଭରଫ୍ରନଟ ଘାଟରୁ ଲୁହା ବ୍ୟାରିକେଡ୍ ଚୋରି ହୋଇ ଯାଇଥିବା ଜାଣିବା ପରେ ଏ ସମ୍ପର୍କରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏସମ୍ପର୍କରେ ୨୬୨/ ୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବିଶେଷ କରି ଜନସାଧାରଣଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ବନ୍ୟା ଓ ବିସର୍ଜନ ସମୟରେ ଯାତାୟାତ ନିୟନ୍ତ୍ରଣ ପାଇଁ ମହାନଦୀ ରିଭରଫ୍ରନଟ ଘାଟରେ ଏସ୍ଏମ୍ସି ଏନଫୋର୍ସମେଂଟ ସ୍କ୍ୱାଡ୍ ପକ୍ଷରୁ ସ୍ଥାପନ କରାଯାଇଥିବା ଲୁହା ଫ୍ରେମ୍ର ବ୍ୟାରିକେଡ୍ ଚୋରି ହୋଇଥିବା ସେ ଜଣାଇଥିଲେ। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଚନ୍ଦନ ପରିଡ଼ା ଓରଫ ଚନ୍ଦା ପରିଡ଼ା (୨୭), ନାମକାର, ଜଗତପୁର ଥାନା, କଟକ ଯିଏ କି ବର୍ତମାନ ଜଗନ୍ନାଥ କଲୋନୀ, ଅଇଁଠାପାଲି, ସମ୍ବଲପୁରରେ ରୁହନ୍ତି, ସୁବ୍ରତ କୁମାର ସାହୁ ୩୦ ନନ୍ଦ ସାହି, ଟାଉନ୍ ଥାନା, ଖୋର୍ଦ୍ଧା ଯିଏକି ବର୍ତମାନ ଜଗନ୍ନାଥ କଲୋନୀ, ଅଇଁଠାପାଲି, ସମ୍ବଲପୁରରେ ରୁହନ୍ତି ଏବଂ ପୁରୀ କାକଟପୁର ଥାନା କେନ୍ଦେରାପଟି ଅଂଚଳର ତାପସ ରଥ ଓରଫ ହାପି (୩୦) ଯିଏକି ଏବେ ସମ୍ବଲପୁର ଅଇଁଠାପାଲିର ଜଗନ୍ନାଥ କଲୋନୀରେ ରହି ଆସୁଥିଲେ । ତିନି ଅଭିଯୁକ୍ତଙ୍କୁ ଆଜି ପୂର୍ବାହ୍ନରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ପୂର୍ବରୁ ସେମାନଙ୍କ ଠାରୁ ପ୍ରାୟ ୧୦ କ୍ୱିଂଟାଲ ୭୦ କିଲୋ ଓଜନର ଲୁହା ଫ୍ରେମ୍ ବ୍ୟାରିକେଡ୍ ଏବଂ ଚୋରି ସାମଗ୍ରୀ ପରିବହନରେ ବ୍ୟବହୃତ ଓଡି ୧୫ ଏହି ୦୬୬୩ ନମ୍ବରର ପିକ୍ଅପ୍ ଭ୍ୟାନ୍ ଜବତ କରାଯାଇଥିବା ପୋଲିସ ପକ୍ଷରୁ ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ