
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ମାଲୁଆ ଠାରେ ଗୋବରୀ ନଦୀରେ ଦଳ ସଫା କଲାବେଳେ ଅଘଟଣ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ସ୍ଥାନୀୟ ମାଲୁଆ ଗାଁର ବାବୁଲି ସେଠି। ସେହିପରି ଗୁରୁତର ହୋଇ ପଡ଼ିଥିବା ବ୍ୟକ୍ତି ପୀତାମ୍ବର ସେଠି ବୋଲି ଜଣାପଡ଼ିଛି। ପୀତାମ୍ବରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଡ୍ରେନେଜ ବିଭାଗ ପକ୍ଷରୁ ନିୟୋଜିତ କଂଟ୍ରାକ୍ଟର ମାଲୁଆ ଗାଁ ନିକଟରେ ଗୋବରୀ ନଦୀରୁ ଦଳ ସଫା କରିବା ପାଇଁ ପ୍ରାୟ ୮ ଜଣଙ୍କୁ ନିୟୋଜିତ କରିଥିଲେ। ଆଜି ଦଳ ସଫା ଚାଲିଥିବାବେଳେ ହଠାତ୍ ବନ୍ୟା ଜଳର ସ୍ରୋତ ମାଡ଼ି ଆସିଥିଲା। ଏଥିରେ ଦୁଇ ଶ୍ରମିକ ଦବି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇ ପଡ଼ିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି