
ବୀମା ମିଳୁନି, କମ୍ପାନୀ ଓ ଦଲାଲ ମାଲେମାଲ; ବର୍ତମାନ ସୁଦ୍ଧା ମାତ୍ର ୪୦ ହଜାର ଚାଷୀ କରିଛନ୍ତି ଫସଲ ବୀମା
ନୂଆପଡ଼ା,୨୧ ଅଗଷ୍ଟ (ହି.ସ.) - କୃଷକଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିରୁ ସୁରକ୍ଷା ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଥିଲେ ହେଲେ ଏହି ଯୋଜନା ପ୍ରତି ଚାଷୀଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ। ଆସନ୍ତା ୩୧ ତାରିଖ ଫସଲ ବୀମା କରିବାର ଶେଷ ତାରିଖ ଥିବା ସତ୍ୱେ ନୂଆପଡ଼ା ଜିଲ୍ଲାର ମାତ୍ର ୪୦ ହଜାର ଚାଷୀ ଫସଲ ବୀମା କରିଥିବା ବେଳେ ବର୍ତମାନ ମଧ୍ୟ ଲକ୍ଷାଧିକ ଚାଷୀ ଫସଲ ବୀମା କରିନଥିବା ସୂଚନା ମିଳିଛି। ଏହି ବୀମା ପ୍ରତି ଲୋକଙ୍କ ଆସ୍ଥା ସମ୍ପୂର୍ଣ୍ଣ ଭୋ୍ୱ ଦୂରେଇ ଯାଇଛି। ଯାହାଫଳରେ ଚାଷୀ ବିମା କରୁନାହାନ୍ତି। ଚାଷୀଙ୍କ କହିବା ଅନୁସାରେ, ପୂର୍ବ ବର୍ଷଗୁଡ଼ିକରେ ବନ୍ୟା, ମରୁଡ଼ି, ଅତିବର୍ଷା ଓ ପୋକମାକଡ଼ ଯୋଗୁଁ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଅନେକେ ବୀମା ଦାବିର ଅର୍ଥ ପାଇନଥିଲେ। କେତେକ ଚାଷୀଙ୍କୁ ଅତ୍ୟନ୍ତ କମ୍ ପରିମାଣର କ୍ଷତିପୂରଣ ମିଳିଥିବା ବେଳେ ଅନେକଙ୍କ ଆବେଦନ ବିଭିନ୍ନ କାରଣ ଦର୍ଶାଇ ଖାରଜ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଯୋଜନା ଉପରୁ ଚାଷୀଙ୍କ ଭରସା ସମ୍ପୂର୍ଣ୍ଣ ତୁଟିଯାଇଛି। ଚାଷୀଙ୍କ ଅଭିଯୋଗ ହେଉଛି, ଫସଲ ବୀମା ନାମରେ ପ୍ରିମିୟମ ଆଦାୟ ହେଉଥିଲେ ମଧ୍ୟ କ୍ଷତି ସମୟରେ ସଠିକ୍ ମୂଲ୍ୟାଙ୍କନ କରାଯାଉନାହିଁ। ବୀମା କମ୍ପାନୀ ଓ ମଧ୍ୟସ୍ଥ ଦଲାଲମାନେ ଅଧିକ ଲାଭବାନ ହେଉଥିବା ବେଳେ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ନ୍ୟାୟ ପାଉନଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏବେ ଖରିଫ ଋତୁ ଚାଷ ଜୋରଦାର ଭାବେ ଚାଲିଥିବା ବେଳେ ବୀମା କରିବା ପାଇଁ କୃଷି ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ପୂର୍ବ ଅନୁଭୂତିକୁ ନେଇ ଅଧିକାଂଶ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନେକ ଚାଷୀ କହିଛନ୍ତି, ପୂର୍ବରୁ ବୀମା କରି ଲାଭ ନ ମିଳିଥିବାରୁ ଚଳିତ ବର୍ଷ ଆଉ ପ୍ରିମିୟମ ଦେବାକୁ ଇଚ୍ଛୁକ ନୁହନ୍ତି। କୃଷି ବିଶେଷଜ୍ଞଙ୍କ ମତରେ, ଫସଲ ବୀମା ଯୋଜନାକୁ ସଫଳ କରିବାକୁ ହେଲେ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନ କରିବା ଆବଶ୍ୟକ। ନଚେତ୍ ପ୍ରତିବର୍ଷ ଏଭଳି ଭାବରେ ଚାଷୀଙ୍କ ଅନାଗ୍ରହ ବଢ଼ିବା ସହ ଯୋଜନାର ଉଦ୍ଦେଶ୍ୟ ବିଫଳ ହେବ। ଏପରିସ୍ଥିତିରେ ଆସନ୍ତା ୩୧ ତାରିଖ ଫସଲ ବୀମା କରିବାର ଶେଷ ତାରିଖ ଥିବା ବେଳେ ଚାଷୀଙ୍କ ଅନାଗ୍ରହ କୃଷି ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚାଷୀଙ୍କ ବିଶ୍ୱାସ ଫେରାଇବା ପାଇଁ ସରକାର ଓ ବୀମା କମ୍ପାନୀ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ