
ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.)- ସହରରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ୍ ଲଗାଇବା ସହ ପରିବେଶ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବ୍ରଜରାଜନଗର ପୌରପାଳିକା ପକ୍ଷରୁ ଚଢ଼ଉ ଓ ଯାଞ୍ଚ ଅଭିଯାନ ଜୋରଦାର କରାଯାଇଛି। ପୌରପାଳିକାର ଅଧିକାରୀ ଓ କର୍ମଚାରୀମାନେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନରେ ଚଢ଼ଉ କରି ନିଷିଦ୍ଧ ପ୍ଲାଷ୍ଟିକ ସାମଗ୍ରୀର ଯାଞ୍ଚ କରିଥିଲେ।
ଏହି ଅଭିଯାନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୬ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ ଜବତ କରାଯାଇଥିଲା। ନିୟମ ଉଲ୍ଲଂଘନ କରି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଓ ବିକ୍ରୟ କରୁଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ବିରୋଧରେ ପୌରପାଳିକା ପକ୍ଷରୁ ଜରିମାନା ଆଦାୟ କରାଯାଇଛି। ଏହି କ୍ରମରେ ମୋଟ ୬,୨୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକ ଜବତ କରିବା ସହ ପୌରପାଳିକା ପକ୍ଷରୁ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରରୁ ଦୂରେଇ ରହିବାକୁ ସଚେତନ କରାଯାଇଛି। ପ୍ଲାଷ୍ଟିକ ଯୋଗୁଁ ପରିବେଶ ପ୍ରଦୂଷଣ, ନାଳ ଜାମ୍ ଓ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହେବା ସହ ଜନଜୀବନ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବାରୁ ପୌରପାଳିକା ଏହାର ବ୍ୟବହାରକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଗାମୀ ଦିନରେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ଏଭଳି ଚଢ଼ଉ ଓ ଯାଞ୍ଚ ଜାରି ରହିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ନିଷିଦ୍ଧ ପ୍ଲାଷ୍ଟିକ ବ୍ୟବହାର କିମ୍ବା ବିକ୍ରୟ କରୁଥିବା ଦୋକାନୀଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ନିୟମାନୁସାରେ ଜରିମାନା ସହ ଅନ୍ୟାନ୍ୟ ପଦକ୍ଷେପ ନିଆଯିବ। ସହରକୁ ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ ପୌରପାଳିକାର ଏହି ଅଭିଯାନକୁ ସାଧାରଣ ଲୋକ ଓ ବ୍ୟବସାୟୀମାନେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ