କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିର ନିୟମିତ ନିରୀକ୍ଷଣ; ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ ବଂଟନ, ଉଦ୍ଧାର କାର୍ଯ୍ୟ, ମାଗଣା ରନ୍ଧା ଖାଦ୍ୟ ଯୋଗାଣ ଏବଂ ଆବଶ୍ୟକ ମୌଳିକ ସେବାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବନ
କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିର ନିୟମିତ ନିରୀକ୍ଷଣ; ରିଲିଫ୍ ଓ ପୁନରୁଦ୍ଧାର କାର୍ୟ୍ୟ ଜାରି.


କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ ବଂଟନ, ଉଦ୍ଧାର କାର୍ଯ୍ୟ, ମାଗଣା ରନ୍ଧା ଖାଦ୍ୟ ଯୋଗାଣ ଏବଂ ଆବଶ୍ୟକ ମୌଳିକ ସେବାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପରିସ୍ଥିତିର ସ୍ଥିତି ସମୀକ୍ଷା ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ଅତିରିକ୍ତ ଏସ୍ଆର୍ସି ଶ୍ରୀ ସୁବାଷ ନାଥ ଶର୍ମା ରାଜକନିକା ଓ ଆଳି ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି। ସେ ପ୍ରଭାବିତ ଅଂଚଳରେ ରିଲିଫ୍ ବଂଟନ, ଉଦ୍ଧାର କାର୍ଯ୍ୟ, ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା ଓ ଜନସାଧାରଣଙ୍କ ପାଇଁ ଆବଶ୍ୟକ ସେବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ବନ୍ୟା ପରିସ୍ଥିତିରେ ଲୋକଙ୍କୁ ତ୍ୱରିତ ସହାୟତା ଯୋଗାଇବା ଓ ଆବଶ୍ୟକ ଜନସେବାର ପୁନରୁଦ୍ଧାରକୁ ଗୁରୁତ୍ୱ ଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ। ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା, ଡେପୁଟି କଲେକ୍ଟର(ଜରୁରୀକାଳୀନ) ନିତ୍ୟରଞ୍ଜନ ସାମଲଙ୍କ ସମେତ ସମ୍ପୃକ୍ତ ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ୨୧ ଅଗଷ୍ଟ ୨୦୨୬ ଅପରାହ୍ନ ୫ଟା ସୁଦ୍ଧା ଜିଲ୍ଲାର ୫ଟି ବ୍ଲକ - ଆଳି, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ରାଜନଗର ଓ ରାଜକନିକାର ୬୭ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୬୪ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରପାଳିକାର ୧୧ଟି ୱାର୍ଡ଼ ମଧ୍ୟ ପ୍ରଭାବିତ ହୋଇଛି। ମୋଟ ୨,୪୭,୪୯୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଏପର୍ଯ୍ୟନ୍ତ ୬୨ଟି ରିଲିଫ୍/ଆଶ୍ରୟ କେନ୍ଦ୍ରରେ ୯,୫୦୩ ଜଣଙ୍କୁ ରଖାଯାଇଛି। ଆଜି ୧୮ଟି କେନ୍ଦ୍ରରେ ୨,୩୨୩ ଜଣଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ମଧ୍ୟରେ ଏପର୍ୟ୍ୟନ୍ତ ୭୪୬.୫୫ କ୍ୱିଂଟାଲ ଚାଉଳ, ୬୩.୮ କ୍ୱିଂଟାଲ ଚୁଡ଼ା, ୧୩୮ କ୍ୱିଂଟାଲ ଗୁଡ଼/ଚିନି, ୨,୩୬,୩୧୦ଟି ପାଣି ବୋତଲ, ୬୮,୨୦୦ଟି ପାଣି ପାଉଚ୍ ଏବଂ ୫୬,୨୯୮ ପ୍ୟାକେଟ ବିସ୍କୁଟ ବଂଟନ କରାଯାଇଛି। ଆଜି ୧୭.୫୭ କ୍ୱିଂଟାଲ ଚୁଡ଼ା, ୮.୫୦ କ୍ୱିଂଟାଲ ଗୁଡ଼/ଚିନି, ୨୨,୩୯୨ ପ୍ୟାକେଟ ବିସ୍କୁଟ ଏବଂ ପାଣି ବୋତଲ/ପାଣି ପାଉଚ୍ ସମେତ ଆବଶ୍ୟକ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ୧୨ଟି ମେଡିକାଲ୍ ଟିମ୍ ଓ ୬ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି। ଏହି ଟିମ୍ଗୁଡ଼ିକ ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ଚିକିତ୍ସା ଓ ପଶୁସେବା ଯୋଗାଇ ଦେଉଛନ୍ତି। ବନ୍ୟା ଯୋଗୁଁ ପ୍ରାୟ ୧୪,୨୬୮ ହେକ୍ଟର ଫସଲ ଅଂଚଳ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ବନ୍ୟାଜଳ ହ୍ରାସ ପରେ ବାସ୍ତବ କ୍ଷୟକ୍ଷତି ଆକଳନ କରାଯିବ। ବନ୍ୟାଜଳରେ ରାସ୍ତାଗୁଡ଼ିକ ବୁଡ଼ିଯିବା ଯୋଗୁଁ ୧୪୨ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬ଟି ପାୱାର ବୋଟ୍, ୧୩୦ଟି ଦେଶୀ ଡଙ୍ଗା ଏବଂ ୧୫ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି। ବ୍ରାହ୍ମଣୀ ନଦୀ ଅଳଭା ଠାରେ ଜଳସ୍ତର ୫.୯୦ ମିଟର, ଯାହାର ବିପଦ ସଙ୍କେତ ୪.୮୮ ମିଟର। ଗୋପାଳପୁର ଠାରେ ଜଳସ୍ତର ୧୦.୦୫ ମିଟର, ଯାହା ବିପଦ ସଙ୍କେତ ସ୍ତରରେ ରହିଛି। ଜେନାପୁର ଆନିକଟ ଠାରେ ଜଳସ୍ତର ୬୩.୮୦ ଫୁଟ୍ ରହିଛି। ବୈତରଣୀ ନଦୀ ଆଖୁଆପଦା ଠାରେ ଜଳସ୍ତର ୧୭.୪୬ ମିଟର, ଯାହାର ବିପଦ ସଙ୍କେତ ୧୮.୩୩ ମିଟର। ମୁଣ୍ଡଳୀ ଠାରେ ୪,୭୪,୬୨୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କୁ ତ୍ୱରିତ ରିଲିଫ୍, ଆବଶ୍ୟକ ସାମଗ୍ରୀ, ଚିକିତ୍ସା ସେବା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବା ସହ ବନ୍ୟାଜଳ ହ୍ରାସ ପରେ ଯଥାଶୀଘ୍ର ପ୍ରଭାବିତ ରାସ୍ତା ଓ ଅନ୍ୟାନ୍ୟ ଜନସେବାର ପୁନରୁଦ୍ଧାର ପାଇଁ ସମସ୍ତ ବିଭାଗ ସମନ୍ୱିତ ଭାବେ କାର୍ଯ୍ୟ କରୁଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande