
ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ଦୀର୍ଘଦିନ ଧରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡାରୁ ଗୌଧସ ଯିବା ରାସ୍ତା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଶେଷରେ ପ୍ରଶାସନର ଅପେକ୍ଷା ନକରି ଲୋଡ୍ରା ଗ୍ରାମବାସୀ ଏକଜୁଟ ହୋଇ ନିଜ ଉଦ୍ୟମରେ ରାସ୍ତା ମରାମତି କରିଛନ୍ତି।
ଗ୍ରାମବାସୀମାନେ ମିଳିମିଶି ରାସ୍ତାର ଖାଲଖମା ପୋତିବା ସହ ଯାତାୟାତ ଉପଯୋଗୀ କରିବା ପାଇଁ ମରାମତି କାର୍ଯ୍ୟ କରିଥିଲେ। ଏହି ରାସ୍ତା ଦେଇ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଲୋକେ ଯାତାୟାତ କରୁଥିବାରୁ ରାସ୍ତାର ଅବସ୍ଥା ନେଇ ଦୀର୍ଘଦିନ ଧରି ଅସନ୍ତୋଷ ରହିଥିଲା। ପ୍ରଶାସନ ପକ୍ଷରୁ ରାସ୍ତାର ସ୍ଥାୟୀ ମରାମତି ଓ ଉନ୍ନତିକରଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ ବୋଲି ଲୋଡ୍ରା ଗ୍ରାମବାସୀ ଦାବି କରିଛନ୍ତି। ନିଜ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ଗ୍ରାମବାସୀଙ୍କ ଏହି ସାମୂହିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ପାଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ