
ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.) - ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଝାରସୁଗୁଡ଼ା ପୌରପରିଷଦ ସମେତ କୋଲାବିରା , କିର୍ମିରା ଓ ଲାଇକେରା ବ୍ଲକ୍ରେ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ପ୍ରବଳ ବର୍ଷାରେ ବିଶେଷ କରି କଚ୍ଚା ଘର ଗୁଡ଼ିକ ର ବ୍ୟାପକ କ୍ଷତି ହୋଇଥିବା ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ତୁରନ୍ତ ରିଲିଫ୍, କ୍ଷତିପୂରଣ ଓ ଥଇଥାନ ପାଇଁ ସ୍ୱତନ୍ତ୍ର ଏସଆରସି କମିଶନର ଙ୍କୁ ଭେଟିବା ସହ ଏକ ଦାବୀପତ୍ର ଗୁରୁବାର ପ୍ରଦାନ କରିଥିଲେ ଓ ବିଧାୟକଙ୍କ ପକ୍ଷରୁ ଦିଆଯାଇଥିବା ଦାବି ପତ୍ରରେ କୁହାଯାଇଥିଲା ଯେ, ପ୍ରବଳ ବର୍ଷା ଯୋଗୁଁ ୧୦୦ରୁ ଅଧିକ କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହାଫଳରେ ଅନେକ ଗରିବ ଓ ଆର୍ôଥକ ଭାବେ ଦୁର୍ବଳ ପରିବାର ଘରହୀନ ହୋଇ ଅସୁବିଧାରେ ପଡ଼ିଛନ୍ତି। ଏଥିସହ ଜିଲ୍ଲାପ୍ରଶାସନ କ୍ଷୟକ୍ଷତି ର ତୁରନ୍ତ ଆକଳନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ନିୟମ ଅନୁଯାୟୀ ରିଲିଫ୍ ଓ କ୍ଷତିପୂରଣ ଦେବା, ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ପରିବାରଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇବା ଏବଂ ଘର ପୁନଃନିର୍ମାଣ ପାଇଁ ବିଶେଷ ସହାୟତା ଦେବାକୁ ଦାବି କରାଯାଇଥିଲା । ଏଥିସହ ଘରୋଇ ସାମଗ୍ରୀ ଓ ଆବଶ୍ୟକ ଜିନିଷପତ୍ର ନଷ୍ଟ ହୋଇଥିବା ପରିବାରଙ୍କୁ ସହାୟତା ଏବଂ ରିଲିଫ୍ ରାଶିର ସମୟବଦ୍ଧ ବଂଟନ ପାଇଁ ମଧ୍ୟ ଦାବି ରହିଥିଲା । ତେବେ ଝାରସୁଗୁଡା ବିଧାୟକ ତ୍ରିପାଠୀ ଦାବିପତ୍ର ଦେବା ଓ ଭେଟିବା ପରେ ଶୁକ୍ରବାର ସ୍ୱତନ୍ତ୍ର ଏସଆରସି ଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ରୁ ଚିଠି ନମ୍ବର ୪୪୮୩/୨୦୨୬ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରି ଏହି ମାମଲାରେ ତୁରନ୍ତ ଯାଂଚ କରି କ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ସହ ପ୍ରଭାବିତ ପରିବାରଙ୍କୁ ବିଳମ୍ବ ନକରି ସହାୟତା ଯୋଗାଇବାକୁ ପତ୍ରରେ ଉଲ୍ଲେଖ ରହିଛି ଓ ଏହାସହ ଜିଲ୍ଲାପାଳ ଏହି ଦାବି ଉପରେ ଆବଶ୍ୟକ ପଦକ୍ଷେପ ନେଇ ପ୍ରଚଳିତ ନିୟମ ଅନୁଯାୟୀ କାର୍ଯ୍ୟ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।ବିଧାୟକ ତ୍ରିପାଠୀ ଏହି ପ୍ରୟାସ ଦ୍ୱାରା ବର୍ଷା ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ମାନେ ତୁରନ୍ତ ସହାୟତା ପାଇବା ନେଇ ଆଶା ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ