




ବଲାଙ୍ଗୀର, ୨୧ ଅଗଷ୍ଟ(ହି.ସ.) – ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲି ପରିସରରେ ଆଜି ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ହର୍ଷୋଲ୍ଲାସ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜ ଉପସ୍ଥିତ ରହି ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଧ୍ୟାପକ-ଅଧ୍ୟାପିକାମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ବିଦ୍ୟା ମନ୍ଦିରର ସଭାପତି ପୂଜ୍ୟ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଜୀ, ପ୍ରାଚାର୍ଯ୍ୟ ଡଃ ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ଆଡ଼ମିଶନ୍ ଇନ୍ଚାର୍ଜ ନଟରାଜ ଠାକୁରଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କାର୍ଯ୍ୟକର୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଆଶୀର୍ବଚନରେ ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀ ମହାରାଜ କହିଥିଲେ ଯେ, “ବିଦ୍ୟା ମନୁଷ୍ୟକୁ ବିନୟୀ କରେ। କେବଳ ଶିକ୍ଷିତ କରିବା ନୁହେଁ, ସମାଜରେ ଆଦର୍ଶ, ନୈତିକ ଓ ଦାୟିତ୍ୱବାନ ମନୁଷ୍ୟ ଗଢ଼ି ତୋଳିବା ହେଉଛି ବିଦ୍ୟା ମନ୍ଦିରର ମୂଳ ଲକ୍ଷ୍ୟ।” ତାଙ୍କର ଏହି ପ୍ରେରଣାଦାୟକ ବାଣୀ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା।
ଉତ୍ସବ ଅବସରରେ ବିଦ୍ୟାଳୟର ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀଙ୍କ କରକମଳରେ ଲେଖନୀ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା। ଶିକ୍ଷା ସହିତ ମୂଲ୍ୟବୋଧ, ଶୃଙ୍ଖଳା, ସଂସ୍କାର ଓ ଆଧ୍ୟାତ୍ମିକ ଚେତନାର ସମନ୍ୱୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ବିଦ୍ୟାଳୟର ପ୍ରତିବଦ୍ଧତାକୁ ଏହି ଉତ୍ସବ ପ୍ରତିଫଳିତ କରିଥିଲା।
ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ଚିତାକର୍ଷକ କରିଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ