
ଝାରସୁଗୁଡ଼ା, ୨୧ ଅଗଷ୍ଟ (ହି.ସ.)- ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଏବଂ ଅଭିଯୋଗର ଉପଯୁକ୍ତ ପ୍ରତିକାର ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମ୍ଏଫ୍ ଅଡିଟୋରିୟମ ହଲ୍ ରେ 'ପୋଶ ଆକ୍ଟ-୨୦୧୩' ଅଧୀନରେ ଆୟୋଜିତ ଏହି ଦିନିକିଆ ଶିବିରରେ ଇଣ୍ଟରନାଲ୍ କମିଟି, ଲୋକାଲ୍ କମିଟିର ସଦସ୍ୟ ଏବଂ ନୋଡାଲ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଭିକ୍ଟୋରିଆ ଏକ୍କା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଓ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରାଯିବା ପରେ ଆଇନଗତ ବ୍ୟବସ୍ଥା, କମିଟି ସଦସ୍ୟଙ୍କ ଭୂମିକା ଏବଂ ଅଭିଯୋଗ ସମାଧାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଶିବିରରେ ସମ୍ବଳ ବ୍ୟକ୍ତି ଭାବେ ସାଧନା ପାଣ୍ଡେୟ ଯୋଗଦେଇ ଆଇ ସି /ଏଲ ସି ଓ ନୋଡାଲ ଅଫିସରମାନଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ 'ମକ୍ ଡ୍ରିଲ୍' ଜରିଆରେ ଅଭିଯୋଗ ଗ୍ରହଣ, ତଦନ୍ତ ପ୍ରକ୍ରିୟା ଏବଂ ସମାଧାନର ବ୍ୟବସ୍ଥାକୁ ପ୍ରାକ୍ଟିକାଲ୍ ଭାବେ ପ୍ରଦର୍ଶିତ କରାଯାଇଥିଲା। ଅନ୍ୟତମ ସମ୍ବଳ ବ୍ୟକ୍ତି ବି. ନାଗେଶ୍ୱରୀ ଏବଂ ସୁଶୀଲ କୁମାର ଦାଶ ଉପସ୍ଥିତ ରହି ତଦନ୍ତ ପଦ୍ଧତି, ନିୟମାବଳୀ ଓ ଇନକ୍ୱାରୀ ରିପୋର୍ଟ ପ୍ରସ୍ତୁତିର ସଠିକ୍ ଶୈଳୀ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଡିଏଚ୍ଇଡବ୍ଲୁ ର ଜିଲ୍ଲା ସଂଯୋଜକ ଲିଲେଶ୍ୱର ସାହୁ ସି ବକ୍ସ ପୋର୍ଟାଲର ଉପଯୋଗିତା, ଅନଲାଇନ୍ ଅଭିଯୋଗ ଦାଖଲ ଏବଂ ଏହାର କାର୍ଯ୍ୟପ୍ରଣାଳୀ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ପରିଚାଳନା କରିଥିଲେ।
ଏହାପରେ ଡିପିଏମ୍-ଓଏଲ୍ଏମ୍ ପୁଷ୍ପଶ୍ରୀ ନାୟକଙ୍କ ସଂଯୋଜନାରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଦଳଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ପିଓ-କମ୍-ପିଓ ଯାଜ୍ଞସେନୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ପାଇଁ ଏକ ଭୟମୁକ୍ତ, ସୁରକ୍ଷିତ ତଥା ସମ୍ମାନଜନକ ପରିବେଶ ସୃଷ୍ଟି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ