
ନୂଆପଡ଼ା, ୨୧ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଚେକ୍ ଗେଟ୍ ଦେଇ ଗୌଧସ ପର୍ଯ୍ୟଟନସ୍ଥଳୀକୁ ଯାଉଥିବା ପର୍ଯ୍ୟଟକଙ୍କ ଠାରୁ ଅନାଧିକୃତ ଭାବେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଲୋଡ୍ରା ଗ୍ରାମବାସୀ ଜିଲ୍ଲାପାଳ ଏବଂ ସୁନାବେଡ଼ା ବନଖଣ୍ଡ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଭରୁଆମୁଣ୍ଡା ଚେକ୍ ଗେଟ୍ ଦେଇ ଗୌଧସ ଯାଉଥିବା ପର୍ଯ୍ୟଟକଙ୍କ ଠାରୁ ବିଭିନ୍ନ ଆଳରେ ଟଙ୍କା ଆଦାୟ କରାଯାଉଛି। ଏହି ଅର୍ଥ ଆଦାୟ ପାଇଁ କୌଣସି ବୈଧ ଅନୁମତି ରହିଛି କି ନାହିଁ, ତାହାର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହା ସହିତ ପର୍ଯ୍ୟଟକଙ୍କ ଠାରୁ ଅନାଧିକୃତ ଭାବେ ଅର୍ଥ ଆଦାୟ ବନ୍ଦ କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଲୋଡ୍ରା ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ