
ରାଉରକେଲା, ୨୧ ଅଗଷ୍ଟ (ହି.ସ.)- ବିଗତ ୩ ବର୍ଷ ଧରି ଲାଠିକଟା ତହସିଲଦାର ସମେତ ସବରେଜେଷ୍ଟ୍ରି ଅଫିସ ଦାୟିତ୍ୱରେ ରହି ବହୁ ସମ୍ପତିର ମାଲିକ ହୋଇଛନ୍ତି ମୁରଲୀଧର ଉର୍ମଲ ବୋଲି ଭିଜିଲାନ୍ସ ପ୍ରଥମ ଦିନ ଯାଞ୍ଚ ରୁ ଜାଣିପାରିଛି। ଗିରଫ ଉର୍ମାଲଙ୍କର ରାଉରକେଲା, ସୁନ୍ଦରଗଡ଼ରେ ଦାମୀ ପ୍ଲଟ, ଘର ସାଙ୍ଗକୁ ସ୍ଥାୟୀ ଜମା, ନଗଦ ଟଙ୍କା, ସୁନା, ଗାଡି ଅନେକ ସମ୍ପତି ଜବତ ହୋଇଥିବା ଭିଜିଲାନ୍ସ କହିଛି। ଗତକାଲି ଉର୍ମଲଙ୍କ ପାଖରୁ ୧୦ ଲକ୍ଷ ୭୪ ହଜାର ଟଙ୍କା ଜବତ ହୋଇଥିବା ବେଳେ ସୁନ୍ଦରଗଡ଼ କରମଡିହିରେ ୩୭୦୦ ସ୍କୋୟାରଫୁଟ ର ଏକ ଦୁଇମହଲା ଘର, ସୁନ୍ଦରଗଡ଼ ଓ ରାଉରକେଲାରେ ୬ଟି ମୂଲ୍ୟବାନ ଜାଗା,୨୪୧ ଗ୍ରାମ ସୁନା, ୬୩୫ ଗ୍ରାମ ରୂପା, ବ୍ୟାଙ୍କ, ପୋଷ୍ଟାଲ ଓ ଅନ୍ୟାନ୍ୟ ଜମା ୬୬ ଲକ୍ଷ ୧୦ ହଜାର, ଗୋଟିଏ ୪ ଚକିଆ ଓ ୩ଟି ଦୁଇଚକିଆ ବର୍ତମାନ ଯାଏ ଜବତ ହୋଇଛି। ଭିଜିଲାନ୍ସର ଖୋଳତାଡ଼ ଚାଲିଛି। ତାଙ୍କ ଶ୍ୱଶୁର ଘର ବନ୍ଧୁ, ଭାଇ ମାନଙ୍କ ଘର ଆଦି ଯାଞ୍ଚ ଚାଲିଛି। ମୁଁ ଜିଲ୍ଲାର ଲୋକ ମୋର କେହି କିଛି କରିପାରିବେନି, ଉପରେ ଖର୍ଚ୍ଚ କରି ଆସିଛି ସେ ଟଙ୍କା ୧୦୦ ଗୁଣ ଉଠାଇବି, ମୋ ସହ ଉଭୟ ଲାଠିକଟା ବ୍ରାହ୍ମଣୀତରଙ୍ଗ ପୁଲିସି ଅଛି ଦମ୍ଭ ର ସହ କହୁଥିବା ଏ ଅଧିକାରୀଙ୍କର ବର୍ତମାନ ସୁଦ୍ଧା ଯେତିକି ସମ୍ପତି ବାହାରିଲାଣି ସତରେ ସେ ତାଙ୍କ କହୁଥିବା କଥାକୁ ଅକ୍ଷରେ ଅକ୍ଷରେ ପାଳନକରିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ