
ଭୁବନେଶ୍ୱର, ୨୧
ଅଗଷ୍ଟ (ହି.ସ) : ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ରାଜ୍ୟର ସମସ୍ତ ବରିଷ୍ଠ ନାଗରିକ ଓ ବୟୋଜ୍ୟେଷ୍ଠମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା
ସହ ସେମାନଙ୍କ ପ୍ରତି ସମ୍ମାନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବରିଷ୍ଠ
ନାଗରିକମାନଙ୍କ ଅଭିଜ୍ଞତା ଓ ଜ୍ଞାନ ସମାଜକୁ ନିରନ୍ତର ପ୍ରେରଣା ଦେବା ସହ ଏହାକୁ ସୁଦୃଢ଼
କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।
ମୁଖ୍ୟମନ୍ତ୍ରୀ ସୋସିଆଲ
ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ,
ବରିଷ୍ଠ ନାଗରିକମାନଙ୍କ ମର୍ଯ୍ୟାଦା, ସ୍ୱାସ୍ଥ୍ୟ
ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ସେ ସରକାରଙ୍କ ବିଭିନ୍ନ
ଜନକଲ୍ୟାଣକାରୀ ପଦକ୍ଷେପର ଉଲ୍ଲେଖ କରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ବରିଷ୍ଠ
ନାଗରିକ ତୀର୍ଥଯାତ୍ରା ଯୋଜନା ଏବଂ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନକୁ ବୟୋଜ୍ୟେଷ୍ଠଙ୍କ
ହିତରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ
କହିଛନ୍ତି ଯେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଏକ ସମ୍ବେଦନଶୀଳ ଓ ବରିଷ୍ଠ ନାଗରିକ
ଅନୁକୂଳ ଓଡ଼ିଶା ଗଠନ କରିବା, ଯେଉଁଠାରେ ବୟୋଜ୍ୟେଷ୍ଠମାନେ ସର୍ବଦା ସମ୍ମାନ, ସୁରକ୍ଷା
ଓ ଆବଶ୍ୟକ ସହଯୋଗ ପାଇପାରିବେ।
ସେ ସମାଜର ସମସ୍ତ ବର୍ଗଙ୍କୁ
ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତାର ଭାବନା ରଖି ସମସ୍ତେ ମିଳିତ ଭାବେ
କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା