
ବଲାଙ୍ଗୀର, ୦୪ ଅଗଷ୍ଟ(ହି.ସ.) – ଆସୋସିଏସନ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପେ୍ଲଇଜ ଆସୋସିଏସନ୍ର ୨୦ ଦଫା ଦାବିପତ୍ର ପୁରଣ ପାଇଁ ବଲାଙ୍ଗୀର ସ୍ଥିତ ଆଂଚଳିକ କାର୍ଯ୍ୟାଳୟ(ଆର୍ଓ) ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଆଖପାଖ ଅଂଚଳରୁ ପ୍ରାୟ ୫୦ ଜଣ କର୍ମଚାରୀ ଯୋଗ ଦେଇଥିଲେ। ଏହି ଆନ୍ଦୋଳନକୁ ଅବସରପ୍ରାପ୍ତ କର୍ମଚାରୀ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଥିବାବେଳେ, ସଂଘର ସାଧାରଣ ସମ୍ପାଦକ କିଶୋର ପୁରୋହିତ ନିଜ ଅଭିଜ୍ଞତା ମାଧ୍ୟମରେ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସହକାରୀ ସାଧାରଣ ସମ୍ପାଦକ ହୃଦାନନ୍ଦ ମିଶ୍ର ୨୦ ଦଫା ଦାବି ଉପରେ ଆଲୋକପାତ କରି ଲକ୍ଷ୍ୟ ହାସଲ ନହେବା ଯାଏଁ ଏକଜୁଟ ରହିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ରେଡ ପଲ୍ ଆଲେକ୍ସ ଏକ୍କା ମ୍ୟାନେଜମେଂଟ ସହ ବୈଠକରେ ଅଭିଜ୍ଞତା ବାଂଟିଥିବାବେଳେ, କମ୍ରେଡ ଉତ୍କଳିକା ନାୟକ ମ୍ୟାନେଜମେଂଟର ନୀତି ଯୋଗୁଁ ମହିଳା କର୍ମଚାରୀମାନେ ଭୋଗୁଥିବା ସମସ୍ୟା ବିଷୟରେ ବକ୍ତବ୍ୟ ରଖିଥିଲେ। ଦାବି ପୁରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ