ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ  ବି. ପରମେଶ୍ୱରନ
Election observer reviews in Phulbani
ଫୋଟ


କନ୍ଧମାଳ , ୦୬ ଅଗଷ୍ଟ (ହି.ସ.)

ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସୁପରିଚାଳନା ଏବଂ ଜିଲ୍ଲାସ୍ତରରେ ଏହାର ଅଗ୍ରଗତିର ସମୀକ୍ଷା ନିମନ୍ତେ ଓଡ଼ିଶା ସରକାରଙ୍କ ଏସ୍.ଟି. ଓ ଏସ୍.ସି. ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ, ଆଇ.ଏ.ଏସ. ଆଜି ଫୁଲବାଣୀ ସ୍ଥିତ ସର୍କିଟ୍ ହାଉସରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ବାଲିଗୁଡା ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଶ୍ରୀମତୀ ପ୍ରଣୀତା ଦାସ, ଫୁଲବାଣୀ ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜିକରଣ ଅଧିକାରୀ ଶ୍ରୀ ଭିକାରୀ ସାହୁ, ପ୍ରଶିକ୍ଷଣରତ ଆଇ.ଏ.ଏସ. ଶ୍ରୀ ଯଶକରଣ ସିଂଙ୍କ ସମେତ ଜିଲ୍ଲାର ସମସ୍ତ ନିର୍ବାଚନ ସମ୍ବନ୍ଧୀୟ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ବର୍ତ୍ତମାନ ଅଗ୍ରଗତି, ଘରକୁ ଘର ସର୍ଭେ, ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି, ଦାବି ଓ ଆପତ୍ତିର ନିଷ୍ପତ୍ତି, ତଥ୍ୟର ସଠିକତା ଏବଂ କାର୍ଯ୍ୟର ଗୁଣାତ୍ମକ ମାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ପର୍ଯ୍ୟାୟର କାର୍ଯ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମୟବଦ୍ଧ ଏବଂ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବାକୁ ପର୍ଯ୍ୟବେକ୍ଷକ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ପରମେଶ୍ୱରନ କହିଥିଲେ ଯେ, ଭୋଟର ତାଲିକାର ଶୁଦ୍ଧତା ଏକ ସୁଦୃଢ଼ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଆଧାର। ତେଣୁ କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ନାମ ତାଲିକାରେ ସ୍ଥାନ ନପାଉ, ସେଥିପାଇଁ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠା ଓ ଦାୟିତ୍ୱବୋଧର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯାଇଥିବା ବେଳେ, କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande