
ସମ୍ବଲପୁର, ୦୬, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା କନ୍ୟାଶ୍ରାମ ବିଦ୍ୟାଳୟ ପରିସରରେ ଆଜି ରେ ବନବିଭାଗ ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବନ ସୁରକ୍ଷା ଓ ପରିବେଶ ସନ୍ତୁଳନତା ରକ୍ଷା ସମ୍ପର୍କରେ ଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ପ୍ରତିଯୋଗିତାରେ ଛାତ୍ରୀମାନେ ବନ ସଂରକ୍ଷଣ, ବୃକ୍ଷରୋପଣ, ପରିବେଶ ସୁରକ୍ଷା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଆଧାରିତ ବିଷୟ ଉପରେ ସୁନ୍ଦର ଚିତ୍ର ଅଙ୍କନ କରି ନିଜ ସୃଜନଶୀଳତାର ପରିଚୟ ଦେଇଥିଲେ।
ଏହି ଅବସରରେ ବନ ବିଭାଗର ଶିଶିର ସାମଲ, ଇନ୍ଦ୍ରାଣୀ ସ୍ୱାଇଁ , ଜୟନ୍ତୀ ରାମଜାନ , କ୍ଷୀରୋଦିନି ରଣା, ଡେନିସ ମିଞ୍ଜ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ ପ୍ରମୁଖ ଛାତ୍ରୀମାନଙ୍କୁ ବନ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ।
ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରାଇବା ଦିଗରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ