
ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମର ବିଧବା ବୃଦ୍ଧା ଶାନ୍ତି ସୁନାନୀ(୮୨) ଗତ ଛଅ ମାସ ଧରି ବିଧବା ଭତା ପାଉନଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ମିଳୁଥିବା ମାସିକ ୩,୫୦୦ ଟଙ୍କା ଭତା ହିଁ ଜୀବନ ନିର୍ବାହର ମୁଖ୍ୟ ଆଧାର ହୋଇଥିବାବେଳେ, ଦୀର୍ଘ ଛଅ ମାସ ଧରି ଭତା ବନ୍ଦ ରହିବାରୁ ସେ ଘୋର ଆର୍ôଥକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି। ଶାନ୍ତି ସୁନାନୀ ଭତା ପୁନଃ ଚାଲୁ କରିବା ପାଇଁ ଏକାଧିକ ଥର ସମ୍ପୃକ୍ତ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ବୃଦ୍ଧାବସ୍ଥାରେ ଖାଦ୍ୟ, ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ବହନ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ତାଙ୍କର ବକେୟା ବିଧବା ଭତା ପ୍ରଦାନ କରିବା ସହ ଆଗାମୀ ଦିନରେ ନିୟମିତ ଭାବେ ଭତା ପ୍ରଦାନ ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ବିଡ଼ିଓ ମିଳନ କୁମାର ଝାଙ୍କରଙ୍କୁ ଯୋଗାଯୋଗ କରାଯିବାରୁ କ’ଣ ହୋଇଛି ଦେଖିକି କହୁଛି ବୋଲି କହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ