ଶ୍ରେୟ ନେବାକୁ ନେଇ ରୋହିଦାସପଡ଼ାରେ ଉତେଜନା, ବୁଝାମଣା ପରେ ସ୍ୱାଭାବିକ ହେଲା ପରିସ୍ଥିତି
After counseling everything
ଶ୍ରେୟ ନେବାକୁ ନେଇ ରୋହିଦାସପଡ଼ାରେ ଉତେଜନା, ବୁଝାମଣା ପରେ ସ୍ୱାଭାବିକ ହେଲା ପରିସ୍ଥିତି


ଝାରସୁଗୁଡ଼ା, ୪ ଅଗଷ୍ଟ, (ହି.ସ.) - ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡ ସରବାହାଲ ରୋହିଦାସପଡ଼ାରେ ମଙ୍ଗଳବାର ଉନ୍ନୟନମୂଳକ କାର୍ଯ୍ୟର ଶ୍ରେୟକୁ କେନ୍ଦ୍ର କରି କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ପୋଖରୀ ସଫେଇ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଂଚଳବାସୀ ଏବଂ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ବୁଝାମଣା ହେବା ସହ ବିଧାୟକଙ୍କ ଆଶ୍ୱାସନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ, ସରବାହାଲ ରୋହିଦାସପଡ଼ାରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ପୋଖରୀ ସଫେଇ ପାଇଁ ଅଂଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ସୋମବାର ପୌରାଧ୍ୟକ୍ଷା ରାନୀ ହାତୀ ଏହି କାର୍ଯ୍ୟର ଉଦ୍ଘାଟନ କରିଥିବା ବେଳେ ମଙ୍ଗଳବାର ସକାଳେ ବିଧାୟକ ଟଙ୍କଧର ତ୍ରିପାଠୀ ଘଟଣାସ୍ଥଳକୁ ପହଂଚି ପୁନର୍ବାର ଉଦ୍ଘାଟନ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ କିଛି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିଲେ।

ଅଭିଯୋଗ ଅନୁସାରେ, ସାମାଜିକ ଗଣମାଧ୍ୟମରେ ଉକ୍ତ କାର୍ଯ୍ୟକୁ ବ୍ୟକ୍ତିଗତ ପ୍ରଚେଷ୍ଟା ବୋଲି ପ୍ରଚାର କରାଯିବା ସହ ବିକାଶ କାର୍ଯ୍ୟରେ ବିଳମ୍ବକୁ ନେଇ କିଛି ବ୍ୟକ୍ତି ବିଧାୟକଙ୍କ ଗାଡ଼ି ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ କ୍ରେଡିଟ୍ ନେତା ମୁର୍ଦ୍ଦାବାଦ' ସହ ସରକାର ବିରୋଧୀ ସ୍ଲୋଗାନ ଦେଇ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଧାୟକ ଟଙ୍କଧର ତ୍ରିପାଠୀ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଟେଣ୍ଡର ପ୍ରକ୍ରିୟା ଓ ଆଇନଗତ କାରଣରୁ କାର୍ଯ୍ୟରେ କିଛି ବିଳମ୍ବ ଘଟିଥିବା ସେ ସ୍ପଷ୍ଟ କରିବା ସହ ପୋଖରୀ ସଫେଇ ଏବଂ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବିଧାୟକଙ୍କ ଆଶ୍ୱାସନା ଓ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖବର ଲେଖାହେବା ସୁଦ୍ଧା କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande