



ସମ୍ବଲପୁର, ୦୪, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବସ ଯାତ୍ରୀବିଶ୍ରାମ ଗୃହରୁ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହକୁ ଉଦ୍ଧାର କରିବା ପରେ ରେଢ଼ାଖୋଲ ଥାନ ପୋଲିସ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତ ଦେହର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲା । ବ୍ୟବଚ୍ଛେଦ ପରେ ବି କୌଣସି ପରିଚୟ ମିଳିନଥିବା ଯୋଗୁଁ ମୃତଦେହଟି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା । ହେଲେ ମାନବିକତାର ପରିଚୟ ଦେଇ ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଓ ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ କିଛି ସହକର୍ମୀଙ୍କ ଉପସ୍ଥିତରେ ବୃଦ୍ଧାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ସୂଚନାନୁସାରେ, ବୃଦ୍ଧା ଜଣଙ୍କ ଅତି ଅସହାୟ ଅବସ୍ଥାରେ ଗତ କିଛି ଦିନ ଧରି ଏହି ଯାତ୍ରୀ ବିଶ୍ରାମ ଗୃହରେ ପଡ଼ି ରହିଥିଲେ। ସୋମବାର ସକାଳେ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ରେଢ଼ାଖୋଲ ଥାନାକୁ ଅବଗତ କରାଯାଇଥିଲା । ପୋଲିସ ମୃତ ବୃଦ୍ଧାଙ୍କ ପରିଚୟ ସମ୍ପର୍କରେ ତଦନ୍ତ କରି ଫେଲ୍ ମାରିବା ପରେ ବାଧ୍ୟ ବାଧକତାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲା । ଏଭଳି ସ୍ଥିତିରେ ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ଘଟଣାକୁ ସ୍ଥାନୀୟ ଅଂଚଳବାସୀ ବେଶ୍ ଉଚ୍ଚ ପ୍ରଶଂସା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ