
ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଝାରସୁଗୁଡ଼ା ପୁଲିସ ଆଉ ଏକ ସଫଳତା ହାସଲ କରିଛି। ବେଲପାହାଡ଼ ଥାନା ପୁଲିସ ୮.୦୯୪ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ମହାରାଷ୍ଟ୍ରର ଜଣେ ଆନ୍ତଃରାଜ୍ୟ ନିଶା କାରବାରୀଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ସୂଚନା ଅନୁଯାୟୀ, ବେଲପାହାଡ଼ ଥାନା ମାମଲା ନଂ–୧୫୬, ତାରିଖ ୩ ଅଗଷ୍ଟ ୨୦୨୬, ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ୩ ଅଗଷ୍ଟରେ ଦିନିକିଆ ପାଟ୍ରୋଲିଂ ସମୟରେ ନିର୍ଭରଯୋଗ୍ୟ ସୂଚନା ପାଇ ବେଲପାହାଡ଼ ଥାନାର ଉପ-ନିରୀକ୍ଷକ ମନୋରଞ୍ଜନ ପରିଡ଼ାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ବେଲପାହାଡ଼ ରେଳ ଷ୍ଟେସନ ନିକଟ ଦୁର୍ଗା ମଣ୍ଡପ ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରେ ମହାରାଷ୍ଟ୍ରର ୱାଶିମ ଜିଲ୍ଲା ମଙ୍ଗୁଲପିର ଥାନା ଅନ୍ତର୍ଗତ ବରୁଦ ରୋଡ଼, ଅଶୋକ ନଗରର ବାସିନ୍ଦା କୁନାଲ ବିଜୟ ତୟାଡେ (୨୬)ଙ୍କୁ ବେଆଇନ ଗଞ୍ଜେଇ ରଖି ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ଅଭିଯୋଗରେ କାବୁ କରାଯାଇଥିଲା।
ତଲାସି ବେଳେ ଅଭିଯୁକ୍ତଙ୍କ ନିକଟରୁ ୮.୦୯୪ କିଲୋଗ୍ରାମ ଗଞ୍ଜେଇ, ଏକ ଭିଭୋ ୱାଇ-୩୬ ମୋବାଇଲ ଫୋନ୍ ଏବଂ ୧୧୦ ଟଙ୍କା ନଗଦ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଗଞ୍ଜେଇର ଉତ୍ସ ଓ ଏହା ପଛରେ ଥିବା ନିଶା କାରବାର ନେଟୱର୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।
ଝାରସୁଗୁଡ଼ା ପୁଲିସ କହିଛି ଯେ, ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ସଫଳ କରିବା ପାଇଁ ମାଦକଦ୍ରବ୍ୟ କାରବାର ବିରୋଧରେ ଜିରୋ ଟଲରେନ୍ସ ନୀତି ଜାରି ରହିବ। ମାଦକ କାରବାର ସମ୍ପର୍କିତ କୌଣସି ସୂଚନା ଥିଲେ ନାଗରିକମାନେ ପୁଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ