
ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବ୍ରଜରାଜନଗର ପୌରାଞ୍ଚଳ ଗସ୍ତ କରି ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକ ଓ ପରିଦର୍ଶନ ସମୟରେ ବ୍ରଜରାଜନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗସ୍ତ କ୍ରମରେ ଜିଲ୍ଲାପାଳ ସହରରେ ନିର୍ମାଣାଧୀନ ଗୋଶାଳା କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରି ଏହାକୁ ପ୍ରାଣୀଧନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଗୋଶାଳା ସମ୍ପୂର୍ଣ୍ଣ ହୋଇଗଲେ ସହରାଞ୍ଚଳରେ ବୁଲୁଥିବା ଗାଈଗୋରୁଙ୍କୁ ଥଇଥାନ କରିବାରେ ଏହା ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହାପରେ ଜିଲ୍ଲାପାଳ ସେଠାରେ ଚାଲିଥିବା ନିର୍ମାଣାଧୀନ ବୃଦ୍ଧାଶ୍ରମ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ନିର୍ମାଣ କାମ ଶୀଘ୍ର ଶେଷ କରି ଏହାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ନିରାଶ୍ରୟ ଓ ବୃଦ୍ଧବୃଦ୍ଧାମାନେ ଏହାର ସୁବିଧା ପାଇପାରିବେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ