
ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ବେଲପାହାଡ଼ ପୌରାଞ୍ଚଳ ଗସ୍ତ କରି ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ବେଲପାହାଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଗସ୍ତ ପ୍ରାରମ୍ଭରେ ଜିଲ୍ଲାପାଳ ମଳିପଡ଼ା ଅଞ୍ଚଳ ପରିଦର୍ଶନ କରି ଆର୍ ଆଣ୍ଡ ବି ବିଭାଗ ଦ୍ୱାରା ଆକଳନ କରାଯାଇଥିବା ପ୍ରାୟ ୨.୩୧ କୋଟି ଟଙ୍କାର ନୂତନ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ସ୍ଥାନୀୟ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ଆସନ୍ତା ଦେଢ଼ ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଜିଲ୍ଲାପାଳ ବେଲପାହାଡ଼ ଗୋଶାଳା ପରିଦର୍ଶନ କରିଥିଲେ। ଗୋଶାଳାରେ ଅଧିକ ସଂଖ୍ୟକ ଗୋରୁଙ୍କୁ ରଖିବା ପାଇଁ ବ୍ୟବସ୍ଥା କରିବା ସହ ସମଗ୍ର ପରିସରକୁ ପରିଷ୍କାର-ପରିଚ୍ଛନ୍ନ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଗୋଶାଳା ପରିସରରେ ପେଭର୍ ବ୍ଲକ୍ ବିଛାଇବା, ବିଶାଳ ପରିସରର ସଠିକ୍ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ