
ନୂଆପଡ଼ା, ୦୪ ଅଗଷ୍ଟ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ–୨ରେ କଂଗ୍ରେସ କମିଟି ପକ୍ଷରୁ କର୍ମୀ ସମ୍ମିଳନୀ ଓ ବିଏଲ୍ଏ–୨ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭୋଟର ତାଲିକା ପ୍ରସ୍ତୁତି ହିଁ ନିର୍ବାଚନୀ ଲଢ଼େଇର ମୁଖ୍ୟ ଆଧାର ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ନଗର ସଭାପତି ପ୍ରବୀଣ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ ଯୁବ କଂଗ୍ରେସ ସଦସ୍ୟ ଅଙ୍କିତ ସିଘାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଯୁବପିଢ଼ି ଦେଶର ଭବିଷ୍ୟତ ନାଗରିକ ଭାବେ ନିଜର ଦାୟିତ୍ୱ ସଫଳତାର ସହ ପାଳନ କରିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ଖଡ଼ିଆଳ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରତିନିଧି କମଲ ଚରଣ ତାଣ୍ଡି, ଆଦିବାସୀ ନେତା ରତନ ମାଝୀ, ଦଳିତ ନେତା ବଂଶୀଧର ଜଗତ, ବ୍ଲକ୍ ଯୁବ ସଭାପତି ପ୍ରଦୀପ ବେହେରା ଏବଂ ଖରିଆର ରୋଡ଼ ନଗର ସଭାପତି ପବନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ଭୋଟର ତାଲିକାରେ ଯୋଗ୍ୟ ମତଦାତାଙ୍କ ନାମ ସଠିକ୍ ଭାବେ ସାମିଲ କରିବା, ତ୍ରୁଟି ସଂଶୋଧନ ଏବଂ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ସଂଗଠନକୁ ଆହୁରି ମଜବୁତ କରି ଆଗାମୀ ନିର୍ବାଚନ ପାଇଁ ସମସ୍ତ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଜଣାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ