ମହାନଦୀ ପାର୍ ହୋଇ ବରଗଡ଼ ମୁହାଁ ହେଲେ ୩ ଦନ୍ତା ହାତୀ, ବେଲପାହାଡ଼ ବନ ବିଭାଗର ତିନି ଦିନର ଅପରେସନ୍ ସଫଳ
Elephants were crossed Mahanadi
Elephants cross


ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ବନାଞ୍ଚଳ ପାଇଁ ଏକ ବଡ଼ ସଫଳତା । ପ୍ରାୟ ତିନି ଦିନ ଧରି ନିରନ୍ତର ନଜରଦାରି, ସଚେତନତା ଏବଂ ଅକ୍ଲାନ୍ତ ପରିଶ୍ରମ ପରେ ୩ଟି ଦନ୍ତା ବଣୁଆ ହାତୀଙ୍କୁ ସୁରକ୍ଷିତ ଭାବେ ମହାନଦୀ ଅତିକ୍ରମ କରାଇ ବରଗଡ଼ ବନଖଣ୍ଡ ଅଧୀନ ଅମ୍ବାଭୋନା ସେକ୍ସନର ବୁଗ୍ବୁଗି ବିଟ୍ କୁ ପଠାଇବାରେ ବେଲପାହାଡ଼ ବନ ବିଭାଗ ସଫଳ ହୋଇଛି। ଏହା ଫଳରେ ଭିକମପାଲି ଓ ଆଖପାଖ ଅଞ୍ଚଳର ଲୋକଙ୍କ ମଧ୍ୟରେ ଥିବା ଆତଙ୍କ ଓ ଆଶଙ୍କା ଦୂର ହୋଇଛି।

ସୂଚନା ଅନୁସାରେ, ଗତ ଜୁଲାଇ ୩୧ ତାରିଖ ରାତିରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବନାଞ୍ଚଳରୁ ଆସିଥିବା ଏହି ୩ଟି ଦନ୍ତା ହାତୀ କଦମଡିହି ଓ ଭିକମପାଲି ଫରେଷ୍ଟ ସେକ୍ସନରେ ପ୍ରବେଶ କରିଥିଲେ। ପରେ ସେମାନେ ସୁଖାଡିହି, ବାସେନପାଲି(କ), ବାଞ୍ଜିପାଲି, ପଲସଦା ଡାକ୍ତରଖାନା ନିକଟ ଦେଇ ପଞ୍ଚଗାଁଠାରେ ୪୯ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଅତାବିରା ଅଞ୍ଚଳର ସୁନାଖାଏନ ଓ କଦମଘାଟ ଜଙ୍ଗଲରେ ପହଞ୍ଚିଥିଲେ। ସେଠାରୁ କେଲୋ ନଦୀ ପାର୍ ହୋଇ ହାତୀମାନେ ପୁଝାରୀପାଲି-ଛୁଇପାଲି ଜଙ୍ଗଲକୁ ଯାଇଥିଲେ।

ସୋମବାର ରାତିରେ ହାତୀମାନେ କନକତୋରା ସେକ୍ସନର ଚାଣ୍ଟିପାଲି ବିଟ୍ ଅଧୀନ ସରଧା ଡଙ୍ଗାଘାଟରେ ପହଞ୍ଚି ମହାନଦୀ ଅତିକ୍ରମ କରିଥିଲେ। ପରେ ପଥରସେନି ମନ୍ଦିର ଦେଇ ସୁରକ୍ଷିତ ଭାବେ ବରଗଡ଼ ବନଖଣ୍ଡର ଭଟଲି ରେଞ୍ଜ ଅଧୀନ ଅମ୍ବାଭୋନା ସେକ୍ସନର ବୁଗ୍ବୁଗି ବିଟ୍ ରେ ପ୍ରବେଶ କରିଥିଲେ।

ଏହି ଅଭିଯାନ ସମୟରେ ବନ ବିଭାଗର କର୍ମଚାରୀମାନେ ଦିନରାତି ହାତୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ବେଲପାହାଡ଼ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମିଶନ ଗଜରାଜ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅଭିଯାନରେ ଭିକମପାଲି ବନପାଳ ସରୋଜ କୁମାର ଖମାରୀ, କଦମଡିହି ବନପାଳ ସଙ୍ଗୀତା ସାମନ୍ତରାୟ, ବନରକ୍ଷୀ ଯୁଧିଷ୍ଠିର ବାରୁ, ଅନୁପ କୁଜୁର, ଲିପିରାଣୀ କରଙ୍କ ସମେତ ସବୁଜ ବାହିନୀର ଖଗେଶ୍ୱର ପ୍ରଧାନ, ଅଜୟ ପିଙ୍ଗ, ଦୁର୍ବାଦଳ ପ୍ରଧାନ, ମିଲନ ଦାସ, ମୋତିଲାଲ ବଗାର, ଦିନେଶ ପ୍ରଧାନ ଓ ଜିଲ୍ଲା ସ୍କ୍ୱାର୍ଡ ଟିମ୍ ର ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ବନ ବିଭାଗର ଏହି ସମନ୍ୱିତ ପ୍ରୟାସ ଯୋଗୁଁ କୌଣସି ଧନଜୀବନ କ୍ଷତି ଘଟିନଥିବା ବେଳେ ହାତୀମାନଙ୍କୁ ସୁରକ୍ଷିତ ଭାବେ ବରଗଡ଼ ବନଖଣ୍ଡକୁ ଯିବାରେ ସହାୟତା ମିଳିଥିଲା। ବଣୁଆ ହାତୀ ଦେଖିଲେ ଭୟଭୀତ ନହୋଇ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ସହ ସତର୍କତା ଅବଲମ୍ବନ କରିବାକୁ ବନାଞ୍ଚଳ ଅଧିକାରୀ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande