ଏନଏଚ୍-୪୯ ଚାରିଲେନ୍ ପ୍ରକଳ୍ପକୁ ମିଳିଲା ଗତି, ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ; ୨୧ ଦିନ ମଧ୍ୟରେ ଆପତ୍ତି ଦାଖଲର ସୁଯୋଗ
Gagtte notification forN.H.49
ଏନଏଚ୍-୪୯ ଚାରିଲେନ୍ ପ୍ରକଳ୍ପକୁ ମିଳିଲା ଗତି, ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ; ୨୧ ଦିନ ମଧ୍ୟରେ ଆପତ୍ତି ଦାଖଲର ସୁଯୋଗ


ଝାରସୁଗୁଡ଼ା, ୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ଜାତୀୟ ରାଜପଥ-୪୯କୁ ପେଭଡ୍ ସୋଲ୍ଡର ସହ ଚାରିଲେନ୍ ର ପ୍ରଶସ୍ତିକରଣ କରିବା ପ୍ରକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିବାବେଳେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ଜୁଲାଇ ୨୭ ତାରିଖରେ ଜାରି ହୋଇଥିବା ଅସାଧାରଣ ଗେଜେଟ୍ ବିଜ୍ଞପ୍ତି (ଏସ୍.ଓ.-୪୧୪୩ ଓ ଏସ୍.ଓ.-୪୧୪୬) ଅନୁଯାୟୀ, ପ୍ରକଳ୍ପ ପାଇଁ ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ଓ ଲଖନପୁର ତହସିଲ ଅଞ୍ଚଳରୁ ମୋଟ ୬୦.୨୫୭୭ ହେକ୍ଟର (ପ୍ରାୟ ୧୪୮.୮୯ ଏକର) ଜମି ଅଧିଗ୍ରହଣ କରାଯିବ। ଏଥିରେ ବ୍ୟକ୍ତିଗତ ଚାଷଜମି, ଘରବାରୀ, ସରକାରୀ ଜମି, ଜଙ୍ଗଲ ଓ ଅନ୍ୟାନ୍ୟ ବର୍ଗର ଜମି ସାମିଲ ରହିଛି। ଲଖନପୁର ତହସିଲ ଅନ୍ତର୍ଗତ ବାଦିମାଲ, କଦମଘାଟ, ରେଙ୍କୁଲି, ତେଲେନ, ସାଗରପାଲି, କଦମଡ଼ିହି, କୁଟୁରାପାଲି ଓ ଡୁଡୁଗାଁ ମୌଜାରୁ ମୋଟ ୨୪.୪୯୬ ହେକ୍ଟର ଜମି ଅଧିଗ୍ରହଣ କରାଯିବ। ଏଥିମଧ୍ୟରୁ ବାଦିମାଲ ମୌଜାରୁ ସର୍ବାଧିକ ୬.୫୨୯ ହେକ୍ଟର ଜମି ଅଧିଗ୍ରହଣ କରାଯିବାକୁ ଥିବାବେଳେ ଲଖନପୁର ତହସିଲଦାରଙ୍କୁ ଏହି ପ୍ୟାକେଜ୍ ର ସକ୍ଷମ ପ୍ରାଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ଝାରସୁଗୁଡ଼ା ତହସିଲ ଅଧୀନ ବୁଡ଼ିପଦର, ଜୁନାନୀମୁଣ୍ଡା, ଆମଦରହ, ବ୍ରଜରାଜନଗର ଟାଉନ୍ ୟୁନିଟ୍-୨ ଏବଂ ଟାଉନ୍ ୟୁନିଟ୍-୩ରୁ ୩୫.୭୬୧ ହେକ୍ଟର ଜମି ଅଧିଗ୍ରହଣ ହେବ। ବ୍ରଜରାଜନଗର ଟାଉନ୍ ୟୁନିଟ୍-୩ରୁ ସର୍ବାଧିକ ୯.୨୯୪ ହେକ୍ଟର ଜମି ନିଆଯିବ। ଏହି ପ୍ୟାକେଜ୍ ପାଇଁ ଝାରସୁଗୁଡ଼ା ତହସିଲଦାରଙ୍କୁ ସକ୍ଷମ ପ୍ରାଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ଜାତୀୟ ରାଜପଥ ଅଧିନିୟମ, ୧୯୫୬ର ଧାରା-୩(ଗ) ଅନୁଯାୟୀ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାର ୨୧ ଦିନ ମଧ୍ୟରେ ପ୍ରଭାବିତ ଜମି ମାଲିକ କିମ୍ବା ସମ୍ପୃକ୍ତ ବ୍ୟକ୍ତିମାନେ ଲିଖିତ ଭାବେ ଆପତ୍ତି କିମ୍ବା ଅଭିଯୋଗ ଦାଖଲ କରିପାରିବେ। ଆପତ୍ତିକାରୀଙ୍କୁ ବ୍ୟକ୍ତିଗତ ଭାବେ କିମ୍ବା ଆଇନଜୀବୀଙ୍କ ମାଧ୍ୟମରେ ଶୁଣାଣିର ସୁଯୋଗ ମଧ୍ୟ ଦିଆଯିବ। ସକ୍ଷମ ପ୍ରାଧିକାରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଝାରସୁଗୁଡ଼ାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥରେ ଦୀର୍ଘଦିନ ଧରି ବଢ଼ୁଥିବା ଯାନଚାପ ଏବଂ ବାରମ୍ବାର ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଥିଲା। ଚାରିଲେନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶା ଓ ଆଶ୍ୱସ୍ତିର ପରିବେଶ ସୃଷ୍ଟି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande